ଅର୍ଗସ ବ୍ୟୁରୋ: ଦିନକୁ ଦିନ କୋରୋନା କାୟା ବିସ୍ତାର କରିଚାଲିଛି । ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । କୋରୋନା କହରରେ ଅନେକ ନୀରିହ ଲୋକ ପ୍ରାଣ ହରାଉଛନ୍ତି । ଅନେକ ପିଲା ଅନାଥ ହୋଇ ପଡୁଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ ସ୍ଥିତି ଅତି ଜଟିଳ ହୋଇ ପଡିଛି । ଏତିକି ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ବାପା, ମା’ ଓ ଅଭିଭାବକ ହରାଇଥିବା ପିଲାମାନଙ୍କୁ ମାସିକ 5000 ଟଙ୍କା ପେନସନ ମିଳିବ । ଏହାସହ ପରବର୍ତ୍ତୀ ସମୟରେ ସେମାନଙ୍କ ପାଠ ପଢା ଓ ମାଗଣା ରାସନ କଥା ବୁଝିବେ ସରକାର ।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରୀ ଗ୍ୟାରେଣ୍ଟିରେ ସେହି ପରିବାରମାନଙ୍କୁ ଋଣ ମଧ୍ୟ ପ୍ରଦାନ କରିବେ ସରକାର ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ବୁଧବାର 8970 ନୂଆ ପଜିଟିଭ ମାମଲା ସାମନାକୁ ଆସିଥିବାବେଳେ 84 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତାମାନ ରାଜ୍ୟରେ ମୋଟ 7,00,202 ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା 6,679 ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।