ଧୁଲେ: ପୁଲଓ୍ୱାମାରେ ହୋଇଥିବା ଆତଙ୍କି ହମଲାରେ ସହିଦ ହୋଇଥିବା ଯବାନମାନଙ୍କ ପାଇଁ ଦେଶ ଆଜି କାନ୍ଦୁଛି । ମନ କାନ୍ଦୁଛି କିନ୍ତୁ ପ୍ରତିଶୋଧର ବହ୍ନି ବି ପ୍ରଜ୍ଜଳିତ ହେଉଛି । ଶାସକ-ବିରୋଧୀଙ୍କ ସମେତ ଦେଶବାସୀ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି । କେବଳ ପ୍ରତୀକ୍ଷା ପ୍ରତିଶୋଧର ।
ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯବିନି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହାସହ ଦୋଷୀ ଯେଉଁଠି ଲୁଚିଲେ ବି ଦଣ୍ଡ ପାଇବ ବୋଲି ମଧ୍ୟ କହିଛନ୍ତି ମୋଦି । ଶନିବାର ମହାରାଷ୍ଟ୍ରର ଧୁଲେରେ ଆୟୋଜିତ ଜନସଭାରେ ପାକିସ୍ତାନକୁ ଇସାରା କରି ବଡ଼ ହମଲା କରିଛନ୍ତି ।
ସେ କହିଛନ୍ତି, ଭାରତର ନୀତି ରହିଛି ଯେ, ଆମେ କାହାକୁ ହଇରାଣ କରୁନାହିଁ, ମାତ୍ର ଭାରତକୁ ଯଦି କୌଣସି ଦେଶ ହଇରାଣ କରେ ତେବେ ତାକୁ ଆମେ ଛାଡୁ ନାହିଁ । ପିଏମ ମୋଦି କହିଛନ୍ତି ଯେ, ଆଜି ଏମିତି ଏକ ସମୟରେ ମୁଁ ଆପଣଙ୍କର ମଧ୍ୟକୁ ଆସିଛି, ଯେଉଁଠି ପୁଲଓ୍ଵାମାରେ ଆମର ଯବାନ ଉପରେ ହମଲାକୁ ନେଇ ଦେଶବାସୀଙ୍କ ମନରେ ଆକ୍ରୋଶ ରହିଛି ।
ଗୋଟିଏ ପଟେ ଦେଶ ଆକ୍ରୋଶରେ ଥିବା ବେଳେ ଅନ୍ୟ ପଟେ ସଭିଙ୍କ ଆଖି ଲୋତକପୂର୍ଣ୍ଣ । ଗୋଟିଏ ଦେଶ ଭାବେ ଆମର କାର୍ଯ୍ୟ ଏଠାରୁ ହିଁ ଆରମ୍ଭ ହୋଇଥାଏ । ଯିଏ ଆମ ପାଇଁ ନିଜକୁ ବଳିଦାନ ଦେଇ ଦେଲେ, ତାଙ୍କ ପରିବାରଙ୍କ ସହିତ ଆମେ ଛିଡ଼ା ହୋଇଛୁ । ଏହା ସଂଯମ ରଖିବାର ସମୟ, ସମ୍ବେଦନଶୀଳତାର ସମୟ, ଏହା ଶୋକର ସମୟ । ମାତ୍ର ପ୍ରତ୍ୟେକ ପରିବାରକୁ ମୁଁ ଭରସା ଦେଉଛି ଯେ ପ୍ରତ୍ୟେକ ଲୁହର ଜବାବ ନିଆଯିବ ।
