ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ଭିଓ୍ଵାଣ୍ଡିରେ ଜଣେ ୩୨ବର୍ଷୀୟ ଯୁବକ ନିଜ ପତ୍ନୀଙ୍କୁ ତିନ୍ ତଲାକ କହି ଛାଡ଼ପତ୍ର ଦେଇଥିବାରୁ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଟ୍ରିପଲ୍ ତଲାକ୍ ଏକ ବେଆଇନ୍ କାର୍ଯ୍ୟ ବୋଲି ଦର୍ଶାଇ କେନ୍ଦ୍ର ସରକାର ଗତକାଲି ଲୋକସଭାରେ ବିଲ୍ ଆଗତ କରିଥିବା ବେଳେ ଆଜି ଏକ ଟ୍ରିପଲ୍ ତଲାକ୍ ଘଟଣା ସାମ୍ନାକୁ ଆସିଛି । ଜଣେ ଜଣେ ମୁସଲିମ ବ୍ୟକ୍ତି ୩ଥର ତଲାକ୍ ଉଚ୍ଚାରଣ କରି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ମହାରାଷ୍ଟ୍ରର ଭିୱଣ୍ଡିଠାରେ ଏହି ଘଟଣା ଘଟିଛି।
ବିବାହ ପରେ ପରେ ଯୌତୁକ ପାଇଁ ପୀଡ଼ିତାଙ୍କୁ ଶାଶୁଘର ଲୋକେ ମାଡ଼ ମାରୁଥିବା ବେଳେ ଶେଷରେ ଅଭିଯୁକ୍ତ ତିନ ତଲାକ ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଯୌତୁକ ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିଙ୍କ ମା’ ଓ ଭାଇଙ୍କ ବିରୋଧରେ ମଧ୍ୟ ପୋଲିସ୍ ମାମଲା ରୁଜୁ କରିଛି। ଭିୱଣ୍ଡି ଇନ୍ସପେକ୍ଟର କଲ୍ୟାଣ ଖାରେ କହିଛନ୍ତି, “ଅଭିଯୋଗ ପାଇବା ପରେ ଆମେ ଛାଡ଼ପତ୍ର ଦେଇଥିବା ସ୍ୱାମୀଙ୍କୁ ଗିରଫ କରିଛୁ। ଏବେ ତାଙ୍କ ପରିବାରର ଲୋକଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି।”
ସକୀନା ନାମକ ମହିଳା ଜଣଙ୍କ ୨୦୧୬ ମେ’ ୨୮ରେ ଆମୀର ମୁକ୍ତାର ଆମୀର ମୋଇନଙ୍କୁ ବିବାହ କରିଥିଲେ। ବାହାଘରର ୧୫ ଦିନ ଯାଏ ସବୁ କିଛି ଠିକ୍ ଠାକ ଚାଲିଥିଲା। ଏହାପରେ ଶାଶୁଘର ଲୋକ ସକୀନାଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଥିଲେ। ସକୀନା ଗର୍ଭବତୀ ହେବାରୁ ମୁମ୍ବାଇ ସ୍ଥିତ ତାଙ୍କ ବାପଘରକୁ ଯାଇଥିଲେ। ଏହାକୁ ନେଇ ଆମୀର ଓ ସକୀନାଙ୍କ ମଧ୍ୟରେ ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା। ଆମୀର ତାଙ୍କୁ ୩ ଥର ତଲାକ ଉଚ୍ଚାରଣ କରି ଛାଡ଼ପତ୍ର ଦେଇଥିବାରୁ ସକୀନା ଥାନାର ଦ୍ୱାରସ୍ଥ ହୋଇଥିଲେ।

