ଅଧିକ ପଢନ୍ତୁ : ଆଜି ଆଇପିଏଲ ମହାଲଢେଇ
ଲକ୍ଷ୍ନୌକୁ ହରାଇବା ପରେ ମୁମ୍ବାଇ ତା’ର ପ୍ରତିଦ୍ବନ୍ଦ୍ବୀଙ୍କୁ ସତର୍କ କରାଇଦେଇଛି । ଦଳରେ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ପରିସ୍ଥିତି ଅନୁସାରେ ଯୁବ ଖେଳାଳିମାନେ ବି ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇପାରୁଛନ୍ତି । ତେଣୁ ଏଲିମିନେଟରରୁ ବିଜୟୀ ହେବା ପରେ ମୁମ୍ବାଇର ମନୋବଳ ଊର୍ଦ୍ଧ୍ବରେ ରହିଥିଲା ବେଳେ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପର କିଙ୍ଗ୍ସଠୁ ହାରିଯାଇଥିବା ଗୁଜରାଟ ପୁଣି ଥରେ ବିଜୟ ହାସଲ କରି ଲଗାତାର ଦ୍ବିତୀୟ ଥର ଫାଇନାଲ୍ରେ ପହଞ୍ଚିବାକୁ ଚେଷ୍ଟା କରିବ । ଗତ ସଂସ୍କରଣରେ ତଳେ ରହିଯାଇଥିବା ମୁମ୍ବାଇ ଏଥର ଉତ୍ଥାନ ପତନ ଦେଇ ପ୍ଲେ ଅଫ୍ରେ ପହଞ୍ଚିଥିଲା । କାମେରନ୍ ଗ୍ରିନ୍, ସୂର୍ଯ୍ୟକୁମାର ଯାଦବ, ଟମ୍ ଡେଭିଡ୍ଙ୍କ ଭଳି ବ୍ୟାଟର ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରିବାରେ ସିଦ୍ଧହସ୍ତ । ଏପରିକି ଏମାନେ ଏବେ ଦଳର ମେରୁଦଣ୍ଡ ପାଲଟିଗଲେଣି । ଏଥିସହ ଯୁବ କ୍ରିକେଟର ନେହଲ ୱାଧିରା ଆବଶ୍ୟକସ୍ଥଳେ ପ୍ରଭାବ ପକାଇପାରୁଥିଲା ବେଳେ ପ୍ରାରମ୍ଭିକ ଯୋଡ଼ିରେ ରୋହିତ ଓ ଈଶାନ କିଶନ ରନ୍ ବାହାର କରୁଛନ୍ତି ।
ଗୁଜରାଟର ଶୁବମନ ଗିଲ୍ ଓ ବିଜୟ ଶଙ୍କର ଲିଗ୍ ପର୍ଯ୍ୟାୟରେ ଅନେକ ରନ୍ ଉଠାଇଥିଲେ । ହେଲେ କ୍ବାଲିଫାୟର-୧ରେ ଗିଲ୍ଙ୍କ ବ୍ୟାଟ୍ ଶାନ୍ତ ପଡ଼ିବାରୁ ଗୁଜରାଟକୁ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଦୁଇଟି ଶତକ ମାରିଥିବାରୁ ତାଙ୍କର ମନୋବଳ ହ୍ରାସ ପାଇବନି । ତେଣୁ ସେ ମୁମ୍ବାଇ ପାଇଁ ସବୁଠୁ ବଡ଼ ବିପଦ ହୋଇପାରନ୍ତି । ଗିଲ୍ (୭୨୨) ଏବେ ଅରେଞ୍ଜ କ୍ୟାପ୍ଠୁ (ଫାଫ୍ ଡୁପ୍ଲେସିସ୍ ୭୩୦) ୮ ରନ୍ ଦୂରରେ ଅଛନ୍ତି । ଏହାବାଦ୍ ଅଧିନାୟକ ପାଣ୍ଡ୍ୟା ଓ ଡେଭିଡ୍ ମିଲରଙ୍କ ବ୍ୟାଟରୁ ଦଳ ବଡ଼ ରନ୍ ଆଶା ରଖିଛି। ପାଣ୍ଡ୍ୟା ଗତ ୫ ପାଳିରେ ୮, ୮, ୪, ୨୫ ରନ୍ କରିଥିବା ବେଳେ ମିଲର ଏପର୍ଯ୍ୟନ୍ତ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନାହାନ୍ତି । ଏମିତିକି ତ ୩ ମ୍ୟାଚ୍ରେ ଦୁଇ ଅଙ୍କ ଛୁଇଁପାରିନାହାନ୍ତି । ତେଣୁ ଶୁକ୍ରବାର ରାତିରେ ୫ ଥରର ବିଜେତା ସହ ଗତଥରର ବିଜେତା ମଧ୍ୟରେ କଡ଼ା ପ୍ରତିଦ୍ବଦ୍ବିତା ଦେଖିବାକୁ ମିଳିପାରେ ।
ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ୧୨: ଈଶାନ କିଶନ, ରୋହିତ ଶର୍ମା, କାମେରନ ଗ୍ରିନ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ୍ ଡେଭିଡ୍, କ୍ରିସ୍ ଜୋର୍ଡାନ, ହ୍ରିତିକ ଶୋକିନ୍/ନେହାଲ ୱାଧେରା, ପୀୟୂଷ ଚାୱଲା, ଜାସନ୍ ବେହରେନଡର୍ଫ, ଆକାଶ ମାଧୱାଲ, କୁମାର କାର୍ତିକେୟ।
ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ୧୨: ଶୁବମନ ଗିଲ୍, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଡେଭିଡ୍ ମିଲର, ସାଇ ସୁଦର୍ଶନ/ଅଭିନବ ମନୋହର, ରାହୁଲ ତିୱାତିଆ, ରସିଦ ଖାନ୍, ଜୋସୁଆ ଲିଟିଲ୍/ୟାଶ୍ ଦୟାଲ, ମୋହିତ ଶର୍ମା, ନୂର ଅହମ୍ମଦ, ମହମ୍ମଦ ସାମି।