୨୦୧୩-୧୪ ପରଠାରୁ ଦେଶରେ ଇଥାନଲ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି । ଗତ ୮ ବର୍ଷ ମଧ୍ୟରେ ଇଥାନଲ ମିଶ୍ରଣ ଓ ଜୈବ ଇନ୍ଧନ କାର୍ଯ୍ୟକ୍ରମ ଯୋଗୁଁ ଭାରତରେ ଶକ୍ତି ସୁରକ୍ଷା ଅଧିକ ମଜଭୁତ ହେବା ସହ ୩୧୮ ଲକ୍ଷ ମେଟ୍ରିକ ଟନ ଅଙ୍ଗାରକାମ୍ଳ କମ ହୋଇଛି ଓ ପ୍ରାୟ ୫୪ ହଜାର କୋଟି ବିଦେଶୀ ମୁଦ୍ରା ମଧ୍ୟ ସଞ୍ଚୟ ହୋଇ ପାରିଛି । ଏହାଛଡ଼ା ୨୦୧୪ରୁ ୨୦୨୨ ମଧ୍ୟରେ ଇଥାନଲ ଯୋଗାଣ ବାବଦ ୮୧ ହଜାର ୮୦୦ କୋଟି ଟଙ୍କା ପଇଠ ହୋଇଥିବା ବେଳେ ଚାଷୀଙ୍କ ଖାତାରେ ୪୯ ହଜାର କୋଟିରୁ ଅଧିକ ଟଙ୍କା ପୈଠ ହୋଇଛି ।
ଏହାପରେ ଅପରାହ୍ନ ସାଢ଼େ ୩ଟାରେ ଟୁମକୁରୁରେ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ ମୋଦି । ହାଲ ଦ୍ୱାରା ନିର୍ମିତ ଏହି କାରଖାନା ଏସିୟା ମହାଦେଶର ସର୍ବବୃହତ ହେଲିକପ୍ଟର କାରଖାନା । ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ୨୦୧୬ରେ ଏହି କାରଖାନାର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ଏହି କାରଖାନାରେ ହାଲୁକା ଉପଯୋଗୀ ହେଲିକପ୍ଟର ତିଆରି ହେବ ।
ପରେ ଏହି କାରଖାନା ସମ୍ପ୍ରସାରିତ ହୋଇ ହାଲୁକା ଲଢୁଆ ହେଲିକପ୍ଟର ଓ ଇଣ୍ଡିଆନ ମଲ୍ଟି ରୋଲ ହେଲିକପ୍ଟର ନିର୍ମାଣ କରିବା ସହ, ହେଲିକପ୍ଟର ଗୁଡ଼ିକର ମରାମତି ଓ ଫିଟିଂ କାମ ହେବାର କାର୍ଯ୍ୟକ୍ରମ ରହିଛି । ଭବିଷ୍ୟତରେ ବେସାମରିକ ହାଲୁକା ହେଲିକପ୍ଟର ରପ୍ତାନି ପାଇଁ ମଧ୍ୟ ଏହି କାରଖାନା ସମର୍ଥ ହେବ । ଏହାଦ୍ୱାରା ଏହି ଅଞ୍ଚଳରେ ପ୍ରାୟ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ