ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭ୍ରେ ଋଷ ସେନାର ପ୍ରଚଣ୍ଡ ଆକ୍ରମଣ । ଗୋଟିଏ ପରେ ଗୋଟିଏ ସ୍ଥାନରେ ରକେଡ୍ ମାଡ ସହ ଘନ ଘନ ବୋମା ବିସ୍ଫୋରଣ କରାଯାଉଛି । ଖାରକିଭର ମିଲିଟାରୀ ଏକାଡେମୀ ଓ ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟରେ ମିସାଇଲ ମାଡ ହୋଇଛି। ଏହାରି ମଧ୍ୟରେ ଋଷ୍ ସୈନିକ ଦାବି କରିଛନ୍ତି ଯେ ସେମାନେ ଖେରସନ ସହରକୁ କବ୍ଜା କରିନେଇଛନ୍ତି । ପୁରା ସହରକୁ ତିନିପଟରୁ ଘେରି ରହି ଆକ୍ରମଣ କରିଚାଲିଛି ଋଷ୍ ସେନା। ଏହାର ଜବାବରେ ୟୁକ୍ରେନ୍ ସେନା ଏବେ ମଧ୍ୟ ମୈଦାନରେ ଯୁଦ୍ଧ ଲଢ଼ୁଛନ୍ତି ।
ପ୍ରଥମେ ଋଷ୍ ସେନା ୟୁକ୍ରେନର ରାଜଧାନୀ କିଭରେ ଲଗାତାର ମିଶାଇଲ୍ ମାଡ଼ କରି କିଭକୁ ଏକ ପ୍ରକାର ଧ୍ବଂସ କରିସାରିଛି । ତାପରେ ଖାରକିଭ ଉପରେ ଧ୍ବଂସ ଲୀଳା ଆରମ୍ବ କରିଛନ୍ତି ରୁଷ ସେନା। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଋଷ୍ ଆଗରେ ୟୁକ୍ରେନ୍ ଆତ୍ମସମର୍ପଣ କରିନାହିଁ । ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ବୁଧବାର ଦାବି କରିଛନ୍ତି ଯେ, ୬ ଦିନରେ ଯୁଦ୍ଧରେ ଋଷର ୬ ହଜାର ସୈନିକ ପ୍ରାଣ ହରାଇଛନ୍ତି । ତାଙ୍କର ସେନା ସାହସର ସହିତ ଋଷର ବିପଜ୍ଜନକ ଅସ୍ତ୍ରଶସ୍ତ୍ରକୁ ସାମ୍ନା କରୁଛନ୍ତି।
ଏହାରି ଭିତରେ ଋଷ ୟୁକ୍ରେନ୍ ଉପରେ ପରମାଣୁ ବୋମା ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଋଷ ମଧ୍ୟ ସମୁଦ୍ର ମଧ୍ୟରେ ପରମାଣୁ ସମରାଭ୍ୟାସ ଆରମ୍ଭ କରିଥିବାର ସୂଚନା ମିଳିଛି। ତେବେ ଆମେରିକା ଓ ନାଟୋ ସଦସ୍ୟ ଯୁକ୍ରେନକୁ ଯୁଦ୍ଧରେ ସିଧାସଳଖ ସାହାଯ୍ୟ କରିବାକୁ ଅସମର୍ଥ ବୋଲି ଜଣାପଡିଛି।
ରାଷ୍ଟ୍ରପତି ବାଇଡେନ ନିଜର ସମ୍ବୋଧନରେ ରୁଷିଆକୁ ଯୁଦ୍ଧରୁ ନିବୃତ୍ତ ହେବାକୁ କହିବା ବ୍ୟତୀତ ଅଧିକ କିଛି ପଦକ୍ଷେପ ନେଇ ନାହାନ୍ତି। ଅନ୍ୟପଟେ ରୁଷ ଯୁକ୍ରେନ ଯୁଦ୍ଧକୁ ନେଇ ଦୁଇ ଭାଗ ହେବାକୁ ଯାଉଛି ବିଶ୍ବ ସମୁଦାୟ। ଗୋଟିଏ ପଟେ ଯୁରୋପିଆନ ଦେଶ, ଆମେରିକା ସମେତ ନାଟୋ ଦେଶ ଓ ଅନ୍ୟପଟେ ଚୀନ, ରୁଷ ପରି ଦେଶ ବିଶ୍ଵ ରାଜନିତୀକୁ ଦୁଇ ଭାଗ କରିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଲାଣି। ତେବେ ଏପରି ଧ୍ରୁବିକରଣ ପରିସ୍ଥିତି ସୃଷ୍ଟି ହେଲେ ଅନ୍ୟତମ ବୃହତ ବିଶ୍ବ ଶକ୍ତି ଭାରତ କେଉଁ ପକ୍ଷ ନେବ ବା ପୂର୍ବଭଳି ନିରପକ୍ଷତା ଅବଲମ୍ବନ କରିବ ତାହା ଉପରେ ରହିଚି ନଜର। ଆଉ ଋଷର ଏଭଳି ଆଭିମୁଖ୍ୟ ନେଇ ଏବେ ଚିନ୍ତାରେ ପୁରା ବିଶ୍ୱ।