ଭୁବନେଶ୍ଵର: ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିଛି ସ୍ଥାନରେ ଘନ କୁହୁଡି ହେବା ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣ କୁହୁଡ଼ି ପଡ଼ିବ। ଆସନ୍ତାକାଲି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ ପାଗ ଆଂଶିକ ମେଘୁଆ ରହିବ । ତେବେ ରାଜଧାନୀରେ ତାପମାତ୍ରା କମୁଛି। 3 ଦିନ ତଳେ 40 ଡିଗ୍ରି ଅତିକ୍ରମ କରିଥିବା ରାଜଧାନୀର ତାପମାତ୍ରା ଆଜି 38 ଡିଗ୍ରିକୁ ଖସିଛି । ଦୁଇ ଦିନ ପରେ ପୁଣି ରାଜ୍ୟରେ ତାପମାତ୍ରା ବଢିପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ତେବେ ଗତ 24 ଘଣ୍ଟାରେ ତାପମାତ୍ରା କିଛି ମାତ୍ରାରେ ହ୍ରାସ ଘଟିଛି । ରାଜ୍ୟର 9ଟି ସହରର ତାପମାତ୍ରା 38 ଡିଗ୍ରି ଉପରେ ରହିଛି । ଏହି ସହର ଗୁଡ଼ିକ ହେଲା, କଟକ, ଭୁବନେଶ୍ୱର, ଅନୁଗୁଳ, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ । 38.7 ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ସବୁଠୁ ତତଲା ସହରରେ ପରିଣତ ହୋଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 12.0 ଡିଗ୍ରୀ ରେକର୍ଡ ହୋଇଛି । ଗତ 3ରୁ 4 ଦିନ ହେବ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ତାତିରେ ହ୍ରାସ ଘଟିବା କିଛିଟା ଲୋକଙ୍କୁ ଆଶ୍ୱସ୍ତି ଦେବ।