ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ଥିବାରୁ ଏବେ ପ୍ରଚାର ମଇଦାନରେ ନେତା । ଖାଲି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାହା ନୁହେଁ ବରଂ କାଉଣ୍ଟର ଆଟାକ୍ ବି ହେଉଛି । ହେଲେ ଶାସକ ଦଳର ନେତା ପ୍ରଶାସନକୁ ନାଲିଆଖି ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ସହିତ ବେଆଇନ ଭାବରେ ଟଙ୍କା ବାଣ୍ଟୁଥିବା ନେଇ ଅନେକ ଅଭିଯୋଗ ଆସିଛି । ଏମିତିକି ନେତାଙ୍କ ଗାଡିରୁ କୋଟି କୋଟି ଟଙ୍କା ଜବତ ହେଉଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ତେଣୁ ପାଣ୍ଡିଆନଙ୍କ ଗସ୍ତ ସମୟରେ ହେଲିକପ୍ଟରରେ କଣ କଣ ରହିଛି ସେନେଇ ଚେକିଂ କରାଯାଇଥିବା ନେଇ ସୂଚନା ମିଳିଛି ।
ଏପଟେ, ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ମିଳୁନି ସୁରକ୍ଷା । ହେଲେ ନିର୍ବାଚନ ନ ଲଢ଼ି ପାଣ୍ଡିଆନଙ୍କୁ କାହିଁକି ଏକ୍ସଟ୍ରା ସୁରକ୍ଷା ? ଏଠି ପ୍ରଶ୍ନ, ବିଜେଡିର ଉତ୍ତରାଧିକାରୀ ବୋଲି ମିଳୁଛି କି ସିଏମ୍ଙ୍କଠୁ ବଳି ସିକ୍ୟୁରିଟି ? ବିଜେଡିର ନମ୍ବର 2 ଷ୍ଟାର କ୍ୟାମ୍ପେନର ଭି.କେ. ପାଣ୍ଡିଆନ ବନିଛନ୍ତି କି ନବୀନଙ୍କ ଦୁର୍ବଳତା । କିଛି ଏମିତି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ।