ଅର୍ଗସ ବ୍ୟୁରୋ : ୧୭ ଦିନରେ ପହଞ୍ଚିଲା ଲକଡାଉନ । କଡାକଡି ଭାବେ ପାଳନ କରାଯାଉଛି ସଂକ୍ରମଣ ରୋକିବା ପାଇଁ ନିୟମ । କିନ୍ତୁ ଅମାନିଆଙ୍କ ନଖରାମି ଯୋଗୁଁ ପୋଲିସ ହେଉଛି ନାକେଦମ । ସହରର ଶୁନ୍ୟତା ଦେହସୁହା ହୋଇଗଲାଣି । ଗାଡି ବିହିନ ରାଜରାସ୍ତା ଏବେ ସାଧାରଣ କଥା । ଖୋଲା ମେଲାରେ ବୁଲୁଥିବା ଲୋକ ଏବେ ଘରୁବାହାରକୁ ବାହାରିବାକୁ ଡରୁଛନ୍ତି । କାରଣ ଦେଶ 17 ଦିନ ହେବ ଲକଡାଉନ ରହିଛି । ଏହି 17 ଦିନ ମଧ୍ୟରେ କୋରୋନା ଭୟ ସମସ୍ତଙ୍କୁ ଗୃହବନ୍ଦୀ କରିବାକୁ ଏକ ରକମର ବାଧ୍ୟ କରି ସାରିଛି । ତେବେ ଏବେବି କିଛି ଅମାନିଆ କୋରନାର ଭୟାବହତାକୁ ହୃଦୟଙ୍ଗମ କରି ନାହାନ୍ତି । ସେଥିପାଇଁ ଲୁଚିଲୁଚି ଚାଲିଛି ସାଙ୍ଗ ମେଳି । ଓଡିଶାରେ କୋରୋନା ସଂକ୍ରମଣର ବ୍ୟାପକତାଲୁ ଲକ୍ଷ୍ୟ କରି ସରକାର ଏପ୍ରିଲ ୩୦ ଯାଏଁ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ।
ଏହି ସମୟରେ ବିମାନ ଓ ଟ୍ରେନ ଚଳାଚଳ ବନ୍ଦ ରହିବ । ସେଭଳି ଜୁନ ୧୭ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଲକଡାଉନକୁ ଚାରି ଆଡେ କଡାକଡି ଭାବେ ପାଳନ କରାଯାଉଛି । ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାହାରେ ଯେଉଁମାନେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି ସେମାନଙ୍କୁ ସାବାଡ କରିବା ପାଇଁ ଫାଇନ ଆଦାୟ କରାଯାଉଛି । ସେପଟେ ପରିବା ଓ ଗ୍ରୋସରୀ ସାମଗ୍ରୀ ଆଣିବା ପାଇଁ ବାଇକ ମଧ୍ୟ ମନା କରାଯାଇଛି । ଯେଉଁ ଅମାନିଆମାନେ ଗାଡି ଧରି ବୁଲୁଛନ୍ତି ସେମାନଙ୍କୁ ପୋଲିସ ସାବାଡ କରୁଛି । ଏହାସହ ଲୋକଙ୍କ ସୁବିଧା ପାଇଁ ଘରେଘରେ ଜରୁରୀ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଏମସି ପକ୍ଷରୁ ମେଡିସିନ, ଦୋକାନ ସଉଦା ବା ଗ୍ରସୋରୀ, ଫଳମୂଳ, ପନିପରିବା, ଖିର, ମାଛ, ଅଣ୍ଡା ଆଦି ଆବଶ୍ୟକ ଜିନିଷ ଆପଣମାନେ ଅନଲାଇନ କିମ୍ବା ହ୍ୱାଟ୍ସଆପରେ ମଗାଇ ପାରିବେ ।
କୋରୋନାର ବ୍ୟାପକତାକୁ ନଜରେ ରଖି ଦେଶ ସହ ରାଜ୍ୟର ଅନେକ କୋରୋନା ସଂକ୍ରମିତ ଅଞ୍ଚଳକୁ ସିଲ କରାଯାଇଛି । ସିଲ ହୋଇଥିବା ସ୍ଥାନ ମାନଙ୍କରେ ମୋବାଇଲ ଏଟିଏମର ବ୍ୟବସ୍ଥା ମଧ୍ୟ କରାଯାଉଛି । ତେବେ ଏହା ସତ୍ତ୍ୱେ ନିୟନ୍ତ୍ରଣ ହୋଇପାରୁନି କୋରୋନା ସଂକ୍ରମଣ । ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା 50 ପାଖାପାଖି ପହଞ୍ଚିଥିବା ବେଳେ ଦେଶରେ କୋରୋନାରେ ପ୍ରାୟ 200 ଜଣଙ୍କର ମୃତ୍ୟୁ ହେଲାଣି । ତେବେ କୋରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ବାହାରି ନଥିବା ବେଳେ ଲକଡାଉନହିଁ ଏକ ମାତ୍ର ମେଡିସିନ ବୋଲି ପ୍ରଧାମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଶେଷଜ୍ଞ ଡାକ୍ତରମାନେ ସତର୍କ କରାଇଆସୁଛନ୍ତି । ତେଣୁ ଲୋକେ ଯଥା ସମ୍ଭବ ସଙ୍ଗରୋଧ ହୋଇ ଲକଡାଉନରେ ରୁହନ୍ତୁ ବୋଲି ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଲଗାତର ପ୍ରଚାର ପ୍ରସାର କରିଆସୁଛନ୍ତି ।
