ଭୁବନେଶ୍ୱର : ରାଜ୍ୟ ୫-ଟି ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଆଜି କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନାକାଳରେ ସରପଞ୍ଚମାନଙ୍କୁ ସେମାନଙ୍କର ଦାୟିତ୍ୱ ଓ କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଚାଳନା ସଂକ୍ରାନ୍ତରେ ଶ୍ରୀ ପାଣ୍ଡିଆନ ଅବଗତ କରିଛନ୍ତି ।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ସମସ୍ତ କରୋନା ପଜିଟିଭ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବାରୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । କ୍ୱାରେଣ୍ଟାଇନ୍ କେନ୍ଦ୍ର ଗୁଡିକର ସଫଳ ପରିଚାଳନା ଉପରେ ଆମର କୋଭିଡ ବିରୁଦ୍ଧରେ ଜୟ ପରାଜୟ ନିର୍ଭର କରୁଛି ।
ଏ କ୍ଷେତ୍ରରେ ସରପଞ୍ଚମାନଙ୍କର ଗୁରୁଦାୟିତ୍ୱ ଥିବା ଅନୁଭବ କରି ରାଜ୍ୟ ସରକାର ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ସରପଞ୍ଚମାନେ ରାଜ୍ୟର ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ କରୋନା ବିରୋଧି ଲଢେଇରେ ସେମାନଙ୍କ ନେତ୍ୱତ୍ୱକୁ ସର୍ବଦା ସେମାନଙ୍କ ଗ୍ରାମର ଲୋକେ ମନେ ରଖିବେ ବୋଲି କୁହାଯାଇଛି ।
