କଟକ ରିଜର୍ଭ ପୋଲିସର ବମ୍ ସ୍କ୍ୱାର୍ଡ ଟିମରେ କାର୍ଯ୍ୟରତ ଥିଲେ ପ୍ରଦୀପ । ନିର୍ବାଚନ ଥିବାରୁ ଜବତ ବାଣ ଗୁଡ଼ିକୁ ନଷ୍ଟ କରାଯାଇପାରି ନଥିଲା । ସେଥିପାଇଁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଗୋପାଳପୁର କାଠଯୋଡି ନଦୀପଠାରେ ବାଣ ନିଷ୍କ୍ରିୟ କରାଯାଉଥିଲା । ସେଠାରେ ହଠାତ୍ ବାଣ ଫୁଟି ହାବିଲଦାର ପ୍ରଦୀପ ଗୁରୁତର ଆହତ ହୋଇଥିଲେ । ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ପ୍ରଦୀପଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ବିନା ବାଣ ନିଷ୍କ୍ରିୟ ଡ୍ରେସ୍ର ସେଠାକୁ ପ୍ରଦୀପ ଯାଇଥିଲେ । ଏ ଦିଗରେ ଏକ ବଡ଼ ତଦନ୍ତ ଆବଶ୍ୟକ ରହିଥିବା ସେମାନେ ଦାବି କରିଛନ୍ତି । ସେପଟେ ପହିଲି ରଜରେ କାକଟପୁରରୁ ଆସିଛି ଆଉ ଏକ ଦୁଃଖଦ ଖବର । ଜଗନ୍ନାଥପୁରରେ ଭାରସ୍ୟମ ହରାଇ ଓଲଟିଛି ପାନ ବୋଝେଇ ପିକଅପ ଭ୍ୟାନ୍ । ଏଥିରେ ଅସ୍ତରଙ୍ଗ ବ୍ଲକର ୨ ଜଣ ପାନ ଚାଷୀଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀରେ ବସିଥିବା ବେଳେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି କାନକଟା ଘାଟିରେ ଭ୍ୟାନ ଓଲଟି ୨ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ଅରଖା ଗାଁର ସୁଶାନ୍ତ ସାହୁ ଏବଂ କୁରେଶୁ ବାତ୍ୟା ।
ଅଧିକ ପଢନ୍ତୁ ଓଡ଼ିଶା ଖବର