କେବଳ ଏତିକି ନୁହେଁ, ବନ୍ୟା ବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୂରଜ । ଏବେ ଆରଡ଼ିର ଆଖଣ୍ଡଳମଣି ପୀଠରୁ ଅସୁରାଳି ଯାଏ ହେଲିକପ୍ଟରରେ ଆସୁଥିବା ପାଣ୍ଡିଆନ ମହୋଦୟଙ୍କ ହେଲିକପ୍ଟର କଣ ଗତ ଅଗଷ୍ଟରେ ଆସିଥିବା ବନ୍ୟାବେଳେ କାମ କଲାନାହିଁ କି? ସେତେବେଳେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆସି ଦୋବଲରୁ ବୁଲି ପଳାଇଥିଲେ । ତେବେ ବନ୍ୟା ବିପନ୍ନଙ୍କୁ ୭ ଦିନର ରିଲିଫ ଦେବାକୁ ଘୋଷଣା କରିଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ରିଲିଫ ମିଳିଲା ନାହିଁ ବୋଲି ସୂରଜ ଅଭିଯୋଗ କରିଛନ୍ତି ।
ଧାମନଗରର ବନ୍ୟା ନିୟନ୍ତ୍ରଣ ପାଇଁ ୨ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା ଆମେ ଆଶା କରିଥିଲୁ । ସମସ୍ତ ନଦୀବନ୍ଧକୁ କ୍ୟାପିଟାଲ ଏମ୍ବାକମେଣ୍ଟ ଓ ଧାମନଗର ଅଞ୍ଚଳରେ ଥିବା ସମସ୍ତ ଏସକେପକୁ ବନ୍ଦ କରିବା ଲାଗି ଏହି ଟଙ୍କା ଆବଶ୍ୟକ। ଆମେ ଏହା ଆଶା କରିଥିଲୁ । ହେଲେ ପାଣ୍ଡିଆନ ମହୋଦୟ ତାହା ନ କରି ରାଜନୈତିକ ବୟାନବାଜି କରିବା ଦୁର୍ଭାଗ୍ୟଜନକ ବୋଲି ସେ ଦୋହରାଇଛନ୍ତି ।
ତେବେ ଗତବର୍ଷର ଉପନିର୍ବାଚନ ପୂର୍ବରୁ ବିଜେପିର ପ୍ରତିଶ୍ରୁତି ଦେବା ଓ ନିର୍ବାଚନ ପରେ ପାଳନ ନ କରିବା ନେଇ ପାଣ୍ଡିଆନ ଯେଉଁ ଆରୋପ ଲଗାଇଥିଲେ ତାହାର କଡ଼ା ଜବାବ ଦେଇଛନ୍ତି ସୂରଜ । ସୂରଜ କହିଛନ୍ତି ଯେ ଆମେ ବଡ଼ ଟେଣ୍ଟ, ବଡ଼ ସଭା, ହେଲିକପ୍ଟରରେ ଆସିବାରେ ବିଶ୍ବାସ କରୁନାହୁଁ । ନିର୍ବାଚନରେ ବିଜୟ ପରେ ଧାମନଗର ନିର୍ବାଚନମଣ୍ଡଳୀର ୪୪ ପଞ୍ଚାୟତ, ଧାମନଗର ଏନ୍ଏସିର ମୋଟ୍ ୬୧୫ ରୁ ଅଧିକ ଗାଁ ବୁଲିଛି । ପାଦରେ ଚାଲି ଚାଲି ଯାଇ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲି। ଲୋକଙ୍କ ସମସ୍ୟାର ସମାଧାନ କରୁଥିଲି। ଯେଉଁ ସମୟରେ ପାଣ୍ଡିଆନ ଏଠି ସଭା କରୁଥିଲେ, ସେହି ସମୟରେ ସାହସପୁର ଗାଁରେ ପହଞ୍ଚି ଅଗ୍ନି ବିପନ୍ନଙ୍କ ଦୁଃଖ ବୁଝୁଥିଲି ବୋଲି ସୂରଜ କହିଛନ୍ତି।