ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତି ବିଜେଡିକୁ ମାନ୍ୟତା ବିଜେଡିର ସବୁ ସଦସ୍ୟ ମାନୁଛନ୍ତି କି ଦଳର ସମ୍ବିଧାନ ? ଖୋଦ୍ ବିଜେଡି ସଭାପତି ବି କରୁଛନ୍ତି ନିୟମର ଉଲଂଘନ ? ବିଜେଡି ସରକାର ଓଡ଼ିଶାରେ ଆଣିଛି ମଦର ବନ୍ୟା । ଏବେ ମଦ ପାଲଟିଛି ଓଡ଼ିଶାର ସବୁଠୁ ବଡ଼ ସାମାଜିକ ସମସ୍ୟା ।
ବିଜୁ ଜନତା ଦଳର ସମ୍ବିଧାନ ଯାହାର ତୃତୀୟ ପୃଷ୍ଠାରେ ରହିଛି ବିଜେଡିର ସଦସ୍ୟ ହେବା ପାଇଁ କେଉଁ କେଉଁ ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ । ବିଜେଡି ସଦସ୍ୟତା ପାଇଁ ଦ୍ବିତୀୟ ସର୍ତ୍ତ ହେଉଛି ମଦ ଓ ଡ୍ରଗ୍ସରୁ ଦୂରେଇ ରହିବ । ଏବେ ପ୍ରଶ୍ନ ଉଠୁଛି କୌଣସି ବ୍ୟକ୍ତି ବିଜେଡିର ସଦସ୍ୟତା ହେବା ପୂର୍ବରୁ ଏହି ସର୍ତ୍ତ ସମ୍ପର୍କରେ ତାଙ୍କୁ ଅବଗତ କରାଯାଏ କି ? ବିଜେଡିର ସଦସ୍ୟମାନେ ପାଳନ କରୁଛନ୍ତି କି ଏହି ସର୍ତ୍ତ ? ସଦସ୍ୟଙ୍କ କଥା ଛାଡନ୍ତୁ ଖୋଦ୍ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ନମ୍ବର ସର୍ତ୍ତ ପାଳନ କରନ୍ତି କି ?
ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କ ପୁସ୍ତକ ନବୀନ ପଟ୍ଟନାୟକରେ ମଧ୍ୟ ବିଜେଡି ସଭାପତିଙ୍କ ଏହି ଅଭ୍ୟସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କେବଳ ରୁବେନ୍ ବାନାର୍ଜୀ ନୁହନ୍ତି ଆଉଜଣେ ଜାତୀୟ ସ୍ତରର ଖ୍ୟାତାନାମା ସାମ୍ବାଦିକ ରାଜଦୀପ ସରଦେଶାଇ ସୋସିଆଲ ମିଡିଆର ଏକ ଲୋକପ୍ରିୟ ଶୋର ନବୀନଙ୍କ ଏହି ଅଭ୍ୟାସ ସମ୍ପର୍କରେ କହିଥିଲେ ।
ଯେଉଁଠି ଦଳର ମୁଖିଆ ସଦସ୍ୟତା ସର୍ତ୍ତକୁ ପାଳନ କରୁନାହାନ୍ତି ସେଠାରେ କର୍ମୀଙ୍କ କଥା ପଚାରେ କିଏ ? କଥାଟା ଯଦି ବିଜେଡି କର୍ମୀ ଓ ନେତାଙ୍କର ବ୍ୟକ୍ତିଗତ ଅଭ୍ୟାସରେ ସୀମିତ ରହିଥାନ୍ତା ଅଲଗା କଥା । ୨୪ ବର୍ଷ ଧରି ମଦର ପ୍ରଚାର ପ୍ରସାର ବିଜେଡି ସରକାରର ନୀତି ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ଓଡ଼ିଶାରେ କୌଣସି ଗାଁରେ ଆଜି ପିଇବା ପାଣି ହୁଏତ ନମିଳିପାରେ କିନ୍ତୁ ମଦ ଦୋକାନଟିଏ ନିଶ୍ଚିତ ମିଳିବ । ସାରା ରାଜ୍ୟରେ ଆଜି ମଦର ବନ୍ୟା ସୃଷ୍ଟି ହୋଇଛି । ଆଉ ଏହି ମଦ ପାଲଟିଛି ଓଡ଼ିଶାର ସବୁଠୁ ବଡ଼ ସାମାଜିକ ସମସ୍ୟା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ମାସ ତଳେ ବଲାଙ୍ଗିର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଶୀ ମଦ ଭାଟି ଗୁଡ଼ିକରୁ ବ୍ୟାପକ କଳାଟଙ୍କା ଜବତ ଘଟଣା ସାରା ଦେଶରେ ଚହଳ ପକାଇଥିଲା । ଅଭିଯୋଗ ମଦରୁ ଓଡ଼ିଶାକୁ ଯେତିକି ରାଜସ୍ବ ନମିଳୁଛି ତାର ବହୁ ଗୁଣ ଦୁର୍ନୀତି ହେଉଛି । ଏପରିକି ବିଜେଡିର ପାଣ୍ଠି ଆଦାୟର ଏହା ଏକ ବଡ଼ ଉତ୍ସ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏପରିକି କୁହାଯାଉଛି ଓଡ଼ିଶାରେ ମଦ ଦୁର୍ନୀତି ଦିଲ୍ଲୀର ମଦ ଦୁର୍ନୀତିଠାରୁ ବହୁ ଗୁଣରେ ଅଧିକ ।