ଘର
ଓଡ଼ିଶା
ବିପଦରେ ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ ଜଙ୍ଗଲ
ବିପଦରେ ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ ଜଙ୍ଗଲ
by Smruti Parija
Khurda
| Sun, Nov 03 | 11:31 a.m.
NEWS HIGHLIGHTS
- ବିପଦରେ ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ ଜଙ୍ଗଲ
- CRPF କ୍ୟାମ୍ପ୍ ଉଠିବା ପରେ ମନଇଚ୍ଛା ଚାଲିଛି ଜଙ୍ଗଲ ଲୁଟ୍
- ବିଜେଡି ଶାସନରେ କାଠ ମାଫିଆଙ୍କୁ ମିଳିଥିଲା ଅଲିଖିତ ଲାଇସେନ୍ସ
- 'ଦାମିଆ-ବରବରା' ଜଙ୍ଗଲର ସୁରକ୍ଷା ପାଇଁ ଜୋର ଧରିଲା ଦାବି
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଇଲାକାରେ ରହିଛି ''ଦାମିଆ-ବରବରା'' ଜଙ୍ଗଲ । ୫ଟି ସଂରକ୍ଷିତ ଜଙ୍ଗଲକୁ ମିଶାଇ ହୋଇଛି ଏହି ଜଙ୍ଗଲ । ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତି କିନ୍ତୁ ଏହାର ପରିସୀମା ଲମ୍ବିଛି ଗଞ୍ଜାମ ଓ ନୟାଗଡ଼ ଜିଲ୍ଲା ଯାଏଁ । ଯାହା ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ । ଶାଳ, ଶାଗୁଆନ, ପିଆଶାଳ, ଚନ୍ଦନ ଭଳି ଅନେକ ମୂଲ୍ୟବାନ ଗଛରେ ଭରପୁର ଏହି ଦାମିଆ ବରବରା ଜଙ୍ଗଲ ଏବେ ଶ୍ରୀହୀନ ହେବାରେ ଲାଗିଛି। ଏକଦା ଅତ୍ୟନ୍ତ ଘଞ୍ଚ ଥିବା ଏହି ଜଙ୍ଗଲ ଦିନକୁ ଦିନ ଲଣ୍ଡା ହୋଇଗଲାଣି । ଏତେ ବଡ଼ ଜଙ୍ଗଲକୁ ବାଲୁଗାଁ ବନ ବିଭାଗ ସୁରକ୍ଷା ଦେବା ସମ୍ଭବ ହେଉନାହିଁ । କାଠ ମାଫିଆଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଛି ।
1991 ରୁ 2013 ମସିହା ଯାଏଁ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ବନ ବିଭାଗ ସହିତ CRPF ଯବାନ ନିୟୋଜିତ ହୋଇଥିଲେ । ମାତ୍ର ଏବେ ଜଙ୍ଗଲ ସୁରକ୍ଷା ପାଇଁ ଆଉ CRPF ଯବାନ ନାହାନ୍ତି । ବଡ଼ ବଡ଼ ମୂଲ୍ୟବାନ ଗଛ ସବୁ କାଟି ନେଉଛନ୍ତି କାଠ ମାଫିଆ । 2019 ମସିହାରେ ''ଦାମିଆ-ବରବରା'' ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ତା'ପରେ ବାରମ୍ବାର ସର୍ଭେ କରାଗଲା ହେଲେ, କିନ୍ତୁ ଏ ଯାଏଁ ତାହା ହୋଇ ପାରିଲା ନାହିଁ । ଅନ୍ୟପଟେ ଜଙ୍ଗଲକୁ ସୁରକ୍ଷା ଦେବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଜଙ୍ଗଲ ଅବକ୍ଷୟ ଯୋଗୁଁ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି।
ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ପ୍ରସିଦ୍ଧ ସ୍ଥାନ । ବାଣପୁରର ଐତିହ୍ୟ କହିଲେ ଏହି ''ଦାମିଆ-ବରବରା'' ଜଙ୍ଗଲକୁ ହିଁ ବୁଝାଉଥିବାବେଳେ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।