ସ୍ଥାନ: ଟିଟିଲାଗଡ଼, ଅବସର ଥିଲା ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା । ହେଲେ ସେହି ମଞ୍ଚ ଉପରେ କଥା ଛଳରେ ସତ ଓଗାଳିଦେଲେ ମନ୍ତ୍ରୀ ଟୁକୁନି ସାହୁ । କହିଥିଲେ, ପଦ୍ମପୁର ଜିଲ୍ଲା ହୋଇଥିଲେ, ମୁଁ ଆଗ ଇସ୍ତଫା ଦେଇଥାନ୍ତି । ଯିଏ କହୁଛନ୍ତି ଟୁକୁନି ସାହୁ ଜିଲ୍ଲା କରିପାରିଲେନି, ତାଙ୍କୁ କହିବି, ଜିଲ୍ଲା ଯଦି ଓଡ଼ିଶାରେ ହୋଇଥାନ୍ତା ମୁଁ ପ୍ରଥମେ ଇସ୍ତଫା ଦେଇଥାନ୍ତି । ଯଦି ପଦ୍ମପୁର ଜିଲ୍ଲା ହେବ, ଟିଟିଲାଗଡ଼ ହେବନି, ମୁଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ' ଇସ୍ତଫା ପତ୍ର ଦେଇଦେଇଥାନ୍ତି । ହେଲେ ଏଇଠି ପ୍ରଶ୍ନ, ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଜଣଙ୍କ ପାଇଁ ବନ୍ଦ ହୋଇଗଲା କି ?
ପଶ୍ଚିମ ଓଡ଼ିଶାର ମନ୍ତ୍ରୀ । ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚରେ ମୁହଁ ଖୋଲି ବିବାଦୀୟ ହୋଇଥିଲେ ଏବେ ପୁଣି ଥରେ ପଦ୍ମପୁର ଜିଲ୍ଲାକୁ ନେଇ ମୁହଁ ଖୋଲି ଚର୍ଚ୍ଚାରେ । କାରଣ ଗତ ଫେବ୍ରୁୟାରୀ ୧୯ରେ ମୁଖ୍ୟମନ୍ତ୍ରୀ ନିଜେ କଥା ଦେଇଥିଲେ ୨୦୨୩ ଡିସେମ୍ୱର ସୁଦ୍ଧା ପଦ୍ମପୁର ଜିଲ୍ଲା ହେବ। କିନ୍ତୁ ଡିସେମ୍ୱରରେ ବି ମିଳିଲାନି ମାନ୍ୟତା । ଉପନିର୍ବାଚନବେଳେ ଦୁଇ ଦୁଇ ଥର ନବୀନ ପଦ୍ମପୁରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୂରଣ ହୋଇପାରିଲାନି। ହେଲେ କେଉଁଠି ରହିଲା ସମସ୍ୟା ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଟୁକୁନିଙ୍କ ପ୍ରତିକ୍ରିୟା ଏବେ ବଢାଇଛି ଚର୍ଚ୍ଚା ।
ମୋଟ୍ ଉପରେ ପଦ୍ମପୁର ସହ ୨୫ଟି ସ୍ଥାନରୁ ଜିଲ୍ଲା ପ୍ରସ୍ତାବ ଆସିଥିବା ବିଧାନସଭାରେ ତଥ୍ୟ ରଖିଥିଲେ ରାଜ୍ୟ ସରକାର। ସରକାର ଉପଯୁକ୍ତ ସମୟରେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଥିଲେ । ତେବେ ଟୁକୁନିଙ୍କ ମନ୍ତବ୍ୟ ପଛରେ ଯଦି ସତ୍ୟତା ଥାଏ, ତା’ହେଲେ କ’ଣ ରାଜନୈତିକ ଗୋଟି ଚାଳନା ଥିଲା କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ? ଆନ୍ତରିକତା ନ ଥାଇ ଭୋଟ୍ ପାଇଁ ଚାଲ୍ ଚଳାଇ ଧୂଆଁବାଣ ମାରୁଥିଲେ କି ରାଜ୍ୟ ସରକାର ? ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ପଛରେ କାରଣ କଣ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ଏନେଇ ଟୁକୁନି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।