ବିଜେଡି ନେତା ତଥା ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ଯାଜପୁର ବସ ଦୁର୍ଘଟଣାରେ ଆହତଙ୍କୁ ଭେଟିବାକୁ ଗତକାଲି ଏସସିବି ମେଡିକାଲ ଯାଇଥିଲେ ଭି.କେ ପାଣ୍ଡିଆନ । ହେଲେ ସେହି ଗସ୍ତ ସମୟରେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ, କଟକ ଏସସିବିର ଜଣେ ଡାକ୍ତର ଓ କଟକ ଚୌଦ୍ଵାର ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳ । ହେଲେ ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ ହୋଇଥିବା ପରେ ବି ବିଜେଡି ନେତାଙ୍କ ସହ ଅଫିସର କେମିତି ରହିଲେ ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।
ସାଧାରଣ ନିର୍ବାଚନ ଲାଗି ରାଜ୍ୟରେ ଲାଗୁ ହୋଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି । କିନ୍ତୁ ଏହି ନିୟମକୁ ସତେ ଯେମିତି ମାନିବାକୁ ରାଜି ନାହାନ୍ତି ପାଣ୍ଡିଆନ । କାରଣ ପାଣ୍ଡିଆନଙ୍କ ଗସ୍ତ ଲାଗି କଟକ ଏସସିବିରେ କମିଶନରେଟ ପୋଲିସ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଖାଲି ଏତିକି ନୁହେଁ ବରଂ ପ୍ରଶ୍ନ କରିଛି, ବିଜେଡି ନେତା ପାଣ୍ଡିଆନଙ୍କ ସଙ୍ଗେ କାହିଁକି ଗଲେ ବାବୁ ? କାହିଁକି ବିଜେଡି ନେତାଙ୍କୁ ଏମିତି ସୁରକ୍ଷା ଦିଆଯାଇଛି ? କଣ ପାଇଁ ଏତେ ଆତିଥ୍ୟ ?
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ଥମିବାରେ ନା ନେଉନି ବିବାଦ । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିବାଦ ସେତିକି ସେତିକି ବଢୁଛି । ଏମିତିକି ବିଜେପିର ଅଭିଯୋଗ ପରେ ତାଙ୍କର ପଦବୀ ଯିବା ସହିତ ଫାଇଭ-ଟି ୱେବସାଇଟରୁ ସବୁ ତଥ୍ୟ ବ୍ଲାଙ୍କ କରିଦେଇଥିଲେ ସରକାର । କିନ୍ତୁ ଗତକାଲି ପାଣ୍ଡିଆନଙ୍କୁ ଯେମିତି ଭାବରେ ପୋଲିସ ସୁରକ୍ଷା ଦିଆଗଲା ତାହାକୁ ନେଇ ଏବେ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ରାଜ୍ୟ ସରକାର ।