ଝାରସୁଗୁଡା ପ୍ରାର୍ଥୀ ଦିପାଳୀ ଦାସ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ । ବ୍ରଜରାଜନଗରରୁ ଟିକେଟ ପାଇଛନ୍ତି ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି । ପୂର୍ବତନ ବିଧାୟକ ସୁବଳ ସାହୁଙ୍କୁ ସ୍ତ୍ରୀ ରିତା ସାହୁଙ୍କୁ ବିଜେପୁରରୁ ପ୍ରାର୍ଥୀ କରିଛି ଦଳ । ଟିଟିଲାଗଡ ଆସନରେ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ସ୍ତ୍ରୀ ଟୁକୁନି ସାହୁଙ୍କୁ ମିଳିଛି ଟିକେଟ । ଆସ୍କା ବିଧାନସଭାରେ ପୂର୍ବତନ ସାଂସଦ ଲଡୁ କିଶୋର ସ୍ଵାଇଁଙ୍କ ସ୍ତ୍ରୀ ମଞ୍ଜୁଳା ସ୍ଵାଇଁ ହୋଇଛନ୍ତି ପ୍ରାର୍ଥୀ । ସୋରଡା ଆସନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ଟିକେଟ କାଟି ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ଵାଇଁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ୨୦୧୯ରେ ପ୍ରାର୍ଥୀ ହୋଇଥିବା ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲତିକା ନାଏକ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ୨୦୧୯ରେ ହାରିଥିବା ସୁବାଷ ଗଣ୍ଡଙ୍କ ସ୍ତ୍ରୀ ନବୀନା ନାଏକଙ୍କୁ ଉମରକୋଟରୁ ଟିକେଟ ଦେଇଛି ବିଜେଡି । ପାରାଦୀପ ଆସନରେ ବିଧାୟକ ସମ୍ବିତ ରାଉତରାୟଙ୍କ ପରିବର୍ତ୍ତେ ତାଙ୍କ ସ୍ତ୍ରୀ ଗୀତାରାଣୀ ରାଉତରାୟ ପ୍ରାର୍ଥୀ ହୋଇଛନ୍ତି ।
ନବରଙ୍ଗପୁରରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ଧର୍ମପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ମିଳିଛି ଟିକେଟ । ମୋରଡା ଆସନରେ ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନଗୋଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ବଡସାହିରେ ପ୍ରାର୍ଥୀ ହୋଇଥିବା ଅନୁସୟା ପାତ୍ର ହେଉଛନ୍ତି ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ରଙ୍କ ସ୍ତ୍ରୀ । ପଦ୍ମପୁର ସିଟରେ ପୂର୍ବତନ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଛନ୍ତି । ଅନୁଗଳ ଆସନରେ ବିଧାୟକ ରଜନୀକାନ୍ତ ସିଂଙ୍କ ସ୍ତ୍ରୀ ସଂଯୁକ୍ତା ସିଂଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଜୟପୁରରେ ପୂର୍ବତନ ବିଧାୟକ ରବି ନନ୍ଦଙ୍କ ସ୍ତ୍ରୀ ଡକ୍ଟର ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି । ସାନଖେମୁଣ୍ଡୀରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କୁ ଟିକେଟ ଦେଇଛି ଦଳ । ବସ୍ତାରେ ଟିକେଟ ପାଇଥିବା ଶୁଭାସିନୀ ଜେନା ପୂର୍ବତନ ବାଲେଶ୍ଵର ସାଂସଦ ରବିନ୍ଦ୍ର ଜେନାଙ୍କ ସ୍ତ୍ରୀ । ତେବେ ପ୍ରଶ୍ନ ବିଧାୟକ, ସାଂସଦ କିମ୍ବା ପୂର୍ବତନ ସାଂସଦଙ୍କ ପରିବାରରୁ ଟିକେଟ ଦେଇ ମହିଳା ସଶକ୍ତକରଣ କେଉଁ ବାର୍ତ୍ତା ଦେଉଛି ବିଜେଡି । ପୂର୍ବରୁ ରାଜନୀତୀରେ ସଶକ୍ତ ଥିବା ନେତାଙ୍କ ପରିବାରର ସଦସ୍ୟକୁ ଆହୁରି ସଶକ୍ତ କରି କି ମହିଳା ସଶକ୍ତକରଣ ବାର୍ତ୍ତା ଦେଉଛି ବିଜେଡି ।
ଅଧିକ ପଢନ୍ତୁ ଓଡ଼ିଶା ଖବର