ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ବ୍ୟବସାୟୀରୁ ରାଜନେତା ସାଜିଥିବା ସ୍ୱର୍ଗତଃ ସାହୁଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାଶଙ୍କ ସୁସଂପର୍କ ଥିଲା ଏବଂ ମନ୍ତ୍ରୀ ଶ୍ରୀ ଦାଶ ନିଜେ ପ୍ରଭାବ ପକାଇ ଗତ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ତରଫରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ କରାଇଥିଲେ । ମାତ୍ର ୪-୫ ମାସ ତଳେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ସାହୁ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଥିଲେ । ଆଜି ଭାଇରାଲ ହୋଇଥିବା ଏହି ଅଡିଓ କ୍ଲିପରେ ମଧ୍ୟ ସ୍ୱର୍ଗତଃ ସାହୁ ନିଜ ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ୭ ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହିତ ଜଣେ ନବନିର୍ବାଚତ ଜନପ୍ରତିନିଧିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପରିଡା ପୁଣି ଥରେ କହିଛନ୍ତି ।
ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗତ କାଲି ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । କ୍ଷମତାର ଅପବ୍ୟବହାର କରାଯାଇ ତଦନ୍ତକୁ ବିଭ୍ରାନ୍ତ କରାଯିବାର ଆଶଙ୍କା କ୍ରମଶଃ ବୃଦ୍ଧି ପାଇଛି । ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯିବା ସହିତ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଗିରଫ କରାଯିବାକୁ ଶ୍ରୀମତୀମ ପରିଡା ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।