ସେପଟେ ବିଜେପି ସରକାରର ସଫଳତା ଗଣେଇବା ସହ କଂଗ୍ରେସ ଉପରେ ମଧ୍ୟ ରାଜନାଥ ନିଆଁବାଣ ହୋଇଛନ୍ତି । କରୋନାର ସଫଳ ମୁକାବିଲା ହେଉ ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଅଣାଯିବା । ଧାରା ୩୭୦ ଉଚ୍ଛେଦ ହେଉ କି ରାମ ମନ୍ଦିର ନିର୍ମାଣ, ଆଦିବାସୀଙ୍କୁ ସମ୍ମାନ କି ଦେଶର ଅର୍ଥନୀତିକୁ ପଞ୍ଚମରେ ପହଞ୍ଚାଇବା ହେଉ । ପ୍ରତ୍ୟେକ କ୍ଷେତ୍ରରେ ମୋଦି ସରକାରର କାମ ସାରା ଦେଶ ଦେଖିଛି । କଂଗ୍ରେସ ୫୦ ବର୍ଷ ଧରି କିଛି କରି ନ ଥିବା ବେଳେ ମୋଦି ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ କେମିତି ଗରିବୀ ରେଖା ତଳୁ ଉପକୁ ଆଣିଛନ୍ତି ତାର ହିସାବ ଥୋଇଛନ୍ତି ରାଜନାଥ । ବିଶେଷ କରି ଦୁର୍ନୀତି ପ୍ରସଙ୍ଗ ଓ ବିଜେପି ଆସିଲେ ସମ୍ବିଧାନ ବଦଳାଇବା ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି ତାର ବି ଭରପୂର ଜବାବ ଦେଇଛନ୍ତି ରାଜନାଥ ।
ସେପଟେ ଛତିଶଗଡ଼଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ କୋଟପାଡ଼ କୁନ୍ଦରା ଓ ନବରଙ୍ଗପୁର ହାଟଭରଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ବିଜେଡି ଓ କଂଗ୍ରେସ ବିରୋଧରେ ବର୍ଷିଛନ୍ତି । ମୋଟାମୋଟି ବିଜେଡିର ଅକଲ ଗୁଡୁମ କଲାଣି ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପନିଂ । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ବିଜେପି ବିଜେପି ସରକାରର ଶପଥ ଗ୍ରହଣ ଲାଗି ଲୋକଙ୍କୁ ନିମନ୍ତ୍ରଣ ଦେଇ ଯିବା ପରେ ଏବେ ବିଜେଡିର ଇକ୍ବେସନ ଗଡ଼ବଡ଼ ପାଇଁ ଫୁଲ୍ ଦମରେ ଲାଗିଛନ୍ତି ବିଜେପି ନେତା । ସେଥିପାଇଁ ତ ଆସନ୍ତାକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପୁରୀ କୃଷ୍ଣ ପ୍ରସାଦରେ ବିରାଟ ସମାବେଶ ପାଇଁ ଆସୁଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନବରଙ୍ଗପୁରର ତିନିଟି ସ୍ଥାନରେ ସଭା କରିବେ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୁଣ୍ଡା ଓ ଖଲ୍ଲିକୋଟରେ କରିବେ ପ୍ରଚାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୦ ତାରିଖରେ ପୁଣି ଥରେ ଓଡ଼ିଶା ଆସି ମୋଦି ଭୁବନେଶ୍ବରରେ ରୋଡ୍ ଶୋ କରିବାକୁ ଥିବା ବେଳେ ୧୧ ତାରିଖରେ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ବିଶାଳ ଜନସଭା କରିବାର କାର୍ଯ୍ୟକ୍ରମ କରିଛି । ସେହିପରି ୧୨ ତାରିଖରେ ପୁଣି ଥରେ ଅମିତ ଶାହଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ ।