ଆମେ କିନ୍ତୁ ହାତ ବିଣ୍ଡି ପଛରେ ପଡିବା ଅପେକ୍ଷା ଟଙ୍କା ବଣ୍ଡଲ କଥା ଚିନ୍ତା କରିବା ଭଲ। କାରଣ ସେଇଠି ଅସଲ ଦୁର୍ନୀତିର ଚେର ଅଛି ବୋଲି କହିବା ଠିକ୍ ହେବ।
ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ(PS) ବିରଞ୍ଚି ନାରାୟଣ ସାହୁଙ୍କ ଘରେ କାଲି ଭିଜିଲାନ୍ସ ପଶିଲା। ଚଢାଉ କରି କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କଲା। କିରାଣୀ ପୁଣି କୋଟିପତି, ସର୍ବମୋଟ ଜବତ ସମ୍ପତ୍ତିର ପରିମାଣ ୩ କୋଟି ୭୯ ଲକ୍ଷ।
ବୋପାଲୋ କି, ପଇସା କମେଇଛ ହୋ…।
ହେଲେ ଜଣେ ସାଧାରଣ କିରାଣୀ, ବିନା କୌଣସି ବଡ଼ ହାକିମଙ୍କ ବିନା ଏତେ ଟଙ୍କା କମେଇବା ଆମର ହଜମ ହଉନି। ଲାଗୁଛି ସାହୁ ବାବୁ ସାମାନ୍ୟ କେରାଣ୍ଡି। ୟା ପଛରେ କେହି ବଡ଼ ଭାକୁର ରହିଛନ୍ତି!
ଅବଶ୍ୟ ଏ କଥା ବିନା ତର୍ଜମାରେ ଆମେ କହିଲେ ଅଡୁଆ ହେଇଯିବ। ସେଥିପାଇଁ ଆମ କଥାକୁ ଆପଣ ଗମାତ୍ ଭାବି ପାରନ୍ତି, କିନ୍ତୁ ମଗଜରେ ପୂରାଇବେ ବୋଲି ଆଶା କରୁଛୁ।
କାରଣ କଥାଟା ବିଜେପି ଯୁବମୋର୍ଚ୍ଚା କହିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ। ଇରାଶିଷ କହିଛନ୍ତି ବିରଞ୍ଚି ଗୋଟିଏ ଛୋଟମାଛ, ଆଉ ଭାକୁର କିଏ ରାଜ୍ୟ ସରକାର ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ।
ବିରଞ୍ଚିଙ୍କ ପଛରେ ବଡବଡ ଅଧିକାରୀ ରହିଛନ୍ତି । ଏହାର ଚେର ତୃତୀୟ ମହଲା ଯାଏଁ ଲମ୍ବିଛି । ହେଲେ ରାଜ୍ୟ ଭିଜିଲାନ୍ସ ସେ ଯାଏଁ ଯିବାରେ କେତେ ସକ୍ଷମ ତାହା ସମୟ କହିବ।
ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ମାଲିକାନାରେ ଚାରିଟି କୋଠା ଓ ୧୪ଟି ପ୍ଲଟ୍ ଥିବା ଜଣାପଡ଼ିଛି । ତାଙ୍କର ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଠାବ ହେବା ସହ ଦେଢ କେଜି ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି ।
ଏଣୁ ସନ୍ଦେହ ହେବା ସ୍ୱାଭାବିକ୍ । ନିଯୁକ୍ତି ପକ୍ରିୟାରେ ଯେପରି ଭାବେ ଲକ୍ଷଲକ୍ଷ ଟଙ୍କା କାରବାର ହେଉଥିବାର ଅଭିଯୋଗ ହେଉଥିଲା ତାହାର ଏହା ପ୍ରମାଣ ବୋଲି କହିଲେ ଠିକ୍ ହେବ।
ଏପଟେ ଓପିଏସସିର ସମସ୍ତ ପରୀକ୍ଷା ଓ ନିଯୁକ୍ତି ଅନଲାଇନରେ ହେଉଥିବାରୁ ଏଥିରେ ଦୁର୍ନୀତି ଛୁଇଁବାର ପ୍ରଶ୍ନ ନାହିଁ ବୋଲି କୁହନ୍ତି OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର । ହେଲେ ଆମକୁ ମିଳିଥିବା ତଥ୍ୟ ଟିକେ ଅବାଗିଆ ଫିଲିଙ୍ଗସ୍ ଦଉଛି।
ନିକଟରେ ରାଜ୍ୟ ସରକାର କିଛି ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଇଛନ୍ତି । ଯେଉଁ ନିଯୁକ୍ତି ଭାର OSSC ହାତରେ ରହିଛି। ପୂର୍ବରୁ ୨୭୨ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ତନ୍ମଧ୍ୟରୁ କିଛି ବୃତ୍ତିଗତ ଅଗ୍ରାଧିକାର ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଣୁ ଏହି ଦୋ-ଦୋ ପାଞ୍ଚ ଭିତରେ ଯଦି ନୂଆ ନିଯୁକ୍ତି ମିଳିଛି ତେଣୁ ତାହାଲାଗି କିଛି ନା କିଛି ମାଲପାଣି କାରବାର ହୋଇଥିବା ବୋଲି ଆମର ମନ କହୁଛି। ଏଣୁ ଏଡିକିଟିକିଏ କିରାଣୀ ଏଡେ ବଡ଼ ଦୁର୍ନୀତିରେ ଏକୁଟିଆ ସାମିଲ ହେବା ଟିକେ ଅବାଗିଆ କଥା।
ଏଣୁ ମଣିମା ଦୟା କରି ଭାକୁର ମୁଣ୍ଡକୁ ଚିହ୍ନାଇ ଦେଲେ, ଏ ରାଜ୍ୟବାସୀ ଚିରଉପକୃତ ହେବେ ବୋଲି ଆଶା।