ବାସୁଦେବପୁର ବ୍ଲକର ବେତଡ଼ା-ସୁଆଁ ମୁଖ୍ୟ ରାସ୍ତା ଉପରେ 5 ଫୁଟ୍ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି ।
ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲାରେ 1600ରୁ ଅଧିକ ରାସ୍ତା ଓ 140ରୁ ଅଧିକ କଲଭର୍ଟ ନଷ୍ଟ ହୋଇଛି। ବାତ୍ୟା ଓ ବନ୍ୟାରେ ଭଦ୍ରକ ଜିଲ୍ଲାର 1243 ଟି ଗାଁର 14 ଲକ୍ଷ 20 ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ଜିଲ୍ଲାପାଳ କହିଛନ୍ତି ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ।
ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ବି ଜଳସ୍ତର କମୁଛି । ବାଲେଶ୍ବର ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୯୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କିନ୍ତୁ ଅମଳର ଠିକ୍ ପୂର୍ବରୁ ଖରିଫ ଧାନ ପ୍ରାୟ ଉଜୁଡ଼଼ି ଯାଇଛି । ବାଲେଶ୍ବର ସଦର ସମେତ ବସ୍ତା, ବାଲିଆପାଳ, ଭୋଗରାଇ ବାହାନଗା ଆଦି ବ୍ଲକରେ ଶହ ଶହ ହେକ୍ଟର ଜମିରେ ପରିବା ଫସଲ ବି ପାଣିରେ ବୁଡ଼ି ରହିଛି।
ବାତ୍ୟା ଓ ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ସହ ରିଲିଫ୍ ଓ ସହାୟତା ଯୋଗାଇବା ଦିଗରେ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର। ଆଜି ଲଗାତାର ଦ୍ବିତୀୟ ଦିନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଏରିଅଲ୍ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ତୁରନ୍ତ କ୍ଷୟକ୍ଷତି ଆକଳନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ସମୟରେ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସରକାର ସବୁ ପଦକ୍ଷେପ ନେଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।