ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆସନ୍ତା 8 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ASI ସୁପରିଟେଣ୍ଡେଣ୍ଟ । କହିଛନ୍ତି ଲେଜର ସ୍କାନିଂ ଓ 2018 ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାଯିବ । ସ୍ଥିତି ଅନୁଧ୍ୟାନ ପରେ ମରାମତି କାମ କରାଯିବ । ଗୋଟିଏ ପଟେ ASI ସୁପରିଟେଣ୍ଡେଣ୍ଟଙ୍କ ବୟାନ ଅନ୍ୟପଟେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଭରିଦେଇଛି ଆଶ୍ବସ୍ତି । ଶ୍ରୀଜଗନ୍ନାଥଙ୍କର ଯେଉଁ ରତ୍ନଭଣ୍ଡାର ଓ ଏଥିରେ ଥିବା ରତ୍ନର ସୁରକ୍ଷା ନେଇ ସୃଷ୍ଟି ହୋଇଥିଲା ବଡ଼ ଆଶଙ୍କା, ରତ୍ନଭଣ୍ଡାର ଖୋଲିବା ନେଇ ବିଜେଡି ସରକାରର ଟାଳଟୂଳ ନୀତିକୁ ନେଇ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ, ଏବେ ସେହି ଅସନ୍ତୋଷ ପ୍ରଶମିତ କରିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିଜେପି ସରକାର। ଏବେ ଲୋକେ ଜାଣିବେ ସତ।ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଶପଥ ନେବାର ମାତ୍ର 6 ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ମୁତାବକ ଚାରି ଦ୍ବାର ଖୋଲିବାକୁ ନିଷ୍ପତି ନିଆଗଲା। ଏଥିସହ ଶ୍ରୀମନ୍ଦିର ପାଇଁ 5 ଶହ କୋଟିର କର୍ପସ ଫଣ୍ଡ ନିଷ୍ପତ୍ତି ହେଲା। ବାକି ଥିଲା ରତ୍ନ ଭଣ୍ଡାର ଚାବି ହଜିବା ମାମଲାରେ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା। ନିର୍ବାଚନ ପ୍ରଚାର ସମୟରେ ରତ୍ନଭଣ୍ଡାର ଚୋରି ନେଇ ସନ୍ଦେହ ପ୍ରକଟ କରିଥିଲେ ଖୋଦ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶ୍ନ କରିଥିଲେ କୁଆଡେ ଗଲା କମିଶନ ରିପୋର୍ଟ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓଡ଼ିଶାରେ ନୂଆ ସରକାର ଗଠନର 100 ଦିନ ଭିତରେ ସାର୍ବଜନୀନ କରାଯିବ ତଦନ୍ତ ରିପୋର୍ଟ।
ଶେଷଥର ପାଇଁ 1978 ମସିହାରେ ଶ୍ରୀମନ୍ଦିରର ରତ୍ନଗଣନା ହୋଇଥିଲା। ପୁଣି ରତ୍ନଭଣ୍ଡାର ସୁରକ୍ଷା ନେଇ ବାରମ୍ବାର ଆଶଙ୍କା ପ୍ରକଟ କରିଆସିଛି ଏଏସଆଇ । କହିଛି ବାହାର କାନ୍ଥରେ ଫାଟ ଅଛି ଯାହା ଭବିଷ୍ୟତରେ କରିପାରେ ବଡ଼ କ୍ଷତି । ଗତବର୍ଷ ସେପଟେମ୍ବରରେ ହାଇକୋର୍ଟ ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ତଦାରଖ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୂର୍ବ ବିଜେଡି ସରକାର 5 ମାସରୁ ଅଧିକ ସମୟ ଗଡ଼ାଇଥିଲେ । ପୋଲ୍ ଖୋଲିଯିବା ଭୟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ରଘୁବୀର ଦାସ କମିଶନଙ୍କ ରିପୋର୍ଟ 5 ବର୍ଷ ଧରି ଚାପି ରଖି ସାର୍ବଜନୀନ କରିନଥିଲେ ବିଜେଡି ସରକାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: