କଟକ: କୋରୋନା ମାଡ଼, କୁକୁଡ଼ା ଛାଡ଼ । କୋରୋନା ଭୟରେ କୁକୁଡ଼ା ଛାଡ଼ିଦେଲେ ବ୍ୟବସାୟୀ । ଶହେ କି ଦୁଇଶହ ନୁହେଁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ କୁକୁଡ଼ା ବାହାରକୁ ଛାଡ଼ିଦେଇଛନ୍ତି ବ୍ୟବସାୟୀ ଜଣଙ୍କ । କୁକୁଡା ଖାଇଲେ କୋରୋନା ବ୍ୟାପିବାର ଅପପ୍ରଚାର ପରେ ୧୦ ହଜାର କୁକୁଡା ରଖିଥିବା ମାଲିକ କୁକୁଡା ଫାର୍ମକୁ ଖାଲି କରିଦେଇଛନ୍ତି । କଟକ ଟାଙ୍ଗୀ ଅଂଚଳ ଇଟୁଆ ଗାଁରୁ ଆସିଛି କିଛି ଏଭଳି ଚିତ୍ର । ଆଉ ହଜାର ହଜାର କୁକୁଡା ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ କୁକୁଡାଗୁଡିକୁ ବୋହି ନେଇଛନ୍ତି । ଖାଲି ଗାଁ ଲୋକେ ନୁହଁନ୍ତି, ଆଖପାଖ ଗାଁର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବୁଲୁଥିବା କୁକୁଡାକୁଙ୍କୁ ଧରିଥିଲେ ।
କିଏ ହାତରେ ତ ଆଉ କିଏ ବ୍ୟାଗରେ ପୁରାଇ ନେଉଥିଲେ । କେହି କେହି ଲୋଭ ସମ୍ବରଣ କରି ନପାରି ବସ୍ତାରେ ମଧ୍ୟ ପୁରାଇ ନେଇଥିଲେ । ଏପରିକି ଫାର୍ମ ଭିତରେ ପଶି ମଧ୍ୟ ଲୋକମାନେ କୁକୁଡା ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ଫାର୍ମ ମାଲିକ ଫାର୍ମ ଖାଲି କରିଦେବା ପରେ କୁକୁଡାମାନେ କିପରି ଖୋଲା ପଡିଆରେ ବୁଲୁଛନ୍ତି । ଆଉ ବୁଲୁଥିବା କୁକୁଡା ସବୁକୁ ଧରିବାକୁ ଯୁବକମାନେ ଚେଷ୍ଟା କରୁଛନ୍ତି । କୁକୁଡା ଖାଇଲେ କୋରୋନା ବ୍ୟାପିବ ବୋଲି ଅପ୍ରଚାର ହେବା ପରେ ଫାର୍ମ ମାଲିକ ଏପରି ପଦକ୍ଷେପ ନେଇଛନ୍ତି ।
ଖାଲି ଟାଙ୍ଗି ଅଂଚଳ ନୁହେଁ, ରାଜ୍ୟର ବିଭିନ୍ନ ଅଂଚଳରେ କୋରୋନା ଓ ବାର୍ଡ ଫ୍ଲୁ ଆତଙ୍କରେ ଫାର୍ମ ମାଲିକମାନେ ଶସ୍ତାରେ କୁକୁଡା ବିକ୍ରି କରିଦେଇଛନ୍ତି । ଏପରିକି କେତେକ ଅଂଚଳରେ କୁକୁଡା ଗୋଟାକୁ ୧୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଏଠାରେ ବିନା ପଇସାରେ ଲୋକେ ମନଇଚ୍ଛା କୁକୁଡା ଧରି ନେଇଛନ୍ତି । ତେବେ ଏହା ଏକ ଗୁଜବ । ଏଥିରେ କୁକୁଡା ବ୍ୟବସାୟୀମାନେ ବା ଫାର୍ମ କରିଥିବା ଲୋକେ ଭୟଭିତ ହେବାର ଆବଶ୍ୟକତା ନାହିଁ ବୋଲି ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।
କୁକୁଡା ମାଂସ ଖାଇଲେ କୋରୋନା ବ୍ୟାପିବା ଏକ ଅପପ୍ରଚାର ବୋଲି ସେ ସ୍ପଷ୍ଟ କରାଇଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି କୁକୁଡା ଖାଇଲେ କୋରୋନା ବ୍ୟାପିବ ନାହିଁ ବୋଲି ସଚେତନ କରାଇଛନ୍ତି । ହେଲେ ଲୋକଙ୍କ ଭିତରେ କୋରୋନାକୁ ନେଇ ଥିବା ଭୟ ଯୋଗୁଁ କୁକୁଡା ଚାଷୀ ବିଲରେ ଛାଡି ଦେବା ପାଇଁ ବାଧ୍ୟ ହୋଇଛନ୍ତି । ଫଳରେ ଫାର୍ମ ଖାଲି ହୋଇଯାଇଛି ଏବଂ ହଜାର ହଜାର କୁକୁଡା ବିଲରେ ବୁଲୁଛନ୍ତି ।
