ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର