ଗତ ସେପ୍ଟେମ୍ବର 9, 2021 ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କୁ ଲେଖିଥିବା ପତ୍ରର ପ୍ରତ୍ୟୁତ୍ତରରେ ବିଦେଶ ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ ଓମାନରେ ଡଲଫିନ ଟ୍ରେଡିଂ ଏଣ୍ଡ ଇନଭେଷ୍ଟମେଣ୍ଟ୍ ଏଲଏଲସି ନାମକ ଏକ କମ୍ପାନୀରେ ବିଗତ 7 ବର୍ଷ ଧରି କାର୍ଯ୍ୟ କରୁଥିବା କିଛି ଓଡ଼ିଆ ଫସି ରହିଥିଲେ । ଏହି କମ୍ପାନୀ ବନ୍ଦ ହୋଇଯାଇଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଓଡ଼ିଆ କର୍ମଚାରୀଙ୍କୁ ମାତ୍ର 2 ମାସର ଦରମା ଦେଇ ସେମାନଙ୍କ ପାରିଶ୍ରମିକ ବନ୍ଦ କରିଦେଇଥିଲେ । ସେମାନଙ୍କୁ ଭାରତକୁ ପଠାଇବା ପାଇଁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ମନା କରିଦେଇଥିଲେ । ଏହି କାରଣରୁ କାମ ଓ ଅର୍ଥାଭାବରୁ ପ୍ରବାସୀ ଓଡ଼ିଆମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପତ୍ର ପାଇବା ପରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯିବା ସହ ଫସି ରହିଥିବା ପ୍ରବାସୀଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିଲା ।
ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି ଯେ ଶ୍ରୀ ସୁରେଶ ପ୍ରଧାନ, ଶ୍ରୀ ଚନ୍ଦନ ବେହେରା, ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ଅଲେଖ ପରିମାଣିକ, ଶ୍ରୀ ଅଭିରାମ ପଲାଇ, ଶ୍ରୀ ବୁଲୁ ନାୟକ, ଶ୍ରୀ ସନ୍ତୋଷ କୁମାର ଦଳାଇ, ଜଗନ୍ନାଥ ପଲାଇ କ୍ରମାଗତ ଭାବେ ଗତ ଡ଼ିସେମ୍ବର ଶେଷ ସପ୍ତାହରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ଆଉ କୌଣସି ମାମଲା ରହିନାହିଁ । ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରିବାରେ ତ୍ୱରିତ ପଦକ୍ଷେପ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।
ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅଧିକନ୍ତୁ ଅବଗତ କରାଯାଇଛି ଯେ, ବିଦେଶରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଦଦ୍ (MADAD) ନାମକ ଏକ ଓ୍ୱେବସାଇଟ ଓ ମୋବାଇଲ ଆପ ଶୁଭାରମ୍ଭ କରାଯାଇଛି । ଏହି ଓ୍ୱେବପୋର୍ଟାଲ ଓ ଆପ୍ ମାଧ୍ୟମରେ ପ୍ରବାସୀ ଭାରତୀୟ ସିଧାସଳଖ ନିଜର ଅଭିଯୋଗ ପଞ୍ଜିକୃତ କରିପାରିବେ ।