ଗତ ମାର୍ଚ୍ଚ ୨୦ ରେ ଅନୁଷ୍ଠିତ ଅର୍ଥ ସବ କମିଟି ବୈଠକରେ ଆଲୋଚନା ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ଓଲାଗି ଚଉଦ ହାତିଆ ବାନାର ଦର ଦୁଇଶହ ଟଙ୍କାରୁ ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ର ଗୁଡିକରେ ଏପ୍ରିଲ ପହିଲାରୁ ନୂଆ ଦର ଲାଗୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।ତେବେ ୨୦୧୨ ମସିହାରେ ଏହିଭଳି ବାନା ପ୍ରତି ଦର ୩ଶହ ଟଙ୍କା କରାଯାଇଥିବା ବେଳେ ଭକ୍ତଙ୍କ ଅସନ୍ତୋଷ ଯୋଗୁଁ ଏହାକୁ ପୂର୍ବ ଦର ରେ ସୀମିତ ରଖାଯାଇଥିଲା ବୋଲି କହିଛନ୍ତି ନୀତି ପ୍ରଶାସକ ।
ଅଧିକ ପଢନ୍ତୁ :ଜଗା ଯୋଉ ଟାହିଆ ପିନ୍ଧେ, ତାର ବି ଗୋଟେ କାହାଣୀ ଅଛି..
ଶ୍ରୀମନ୍ଦିର ନୀଳଚକ୍ରରେ ଉଡୁଥିବା ଧ୍ୱଜାକୁ ପତିତପାବନ ବାନା କୁହାଯାଇଥାଏ।ଭକ୍ତ ଶ୍ରଦ୍ଧାଳୁ ମାନେ ମନସ୍କାମନା ପୂରଣ ଉଦ୍ଦେଶ୍ୟରେ ଏହି ବାନା ଦେୟ ଅର୍ଥ ପୈଠ କରି ଲାଗି ପାଇଁ ଦେଇଥାନ୍ତି । ନୀଳଚକ୍ର ଉପରେ ଏହି ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଜାଏ ।ତେଣୁ ଓଲାଗି ବାନାକୁ ନେବା ପାଇଁ ଭକ୍ତଙ୍କର ବେଶ ଆବେଗ ରହିଥାଏ ।ଏହାକୁ ବିଭିନ୍ନ ଶୁଭ କାର୍ଯ୍ୟ ସମୟରେ ଘରେ ନେଇ ରଖିଥାନ୍ତି ଶ୍ରଦ୍ଧାଳୁ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପ୍ରିଲ ପହିଲାରୁ ଓଲାଗି ଧ୍ବଜା ପ୍ରତି 300 ଟଙ୍କା କରିବା ବେଶ ନିନ୍ଦନୀୟ।
ଶ୍ରୀମନ୍ଦିର ପ୍ରଶାସନ କୋଟି କୋଟି ଟଙ୍କା ଦାନ ପାଉଥିବା ବେଳେ ଏଭଳି ବାନାର ଦର ବୃଦ୍ଧି କରିବା ଭକ୍ତଙ୍କ ଉପରେ ଜିଜିଆ କର ସଦୃଶ ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବି । ସେପଟେ ଶ୍ରୀମନ୍ଦିରକୁ ଆସିଲେ ଭକ୍ତଟିଏ ସୁଲଭ ମୂଲ୍ୟରେ ବାନାଟିଏ କିଣି ନେଇ ଯାଇପାରୁଥିବା ବେଳେ ବାନାର ଦରବୃଦ୍ଧି ଭକ୍ତ ମହଲରେ ଆସନ୍ତୋଷ ସୃଷ୍ଟି କରିଛି ।ତେବେ ପୂର୍ବରୁ ଏଭଳି ବିରୋଧ କରାଯାଇଥିଲା,ତେଣୁ ଏହି ନିଷ୍ପତ୍ତି ରୁ ନ ଓହରିଲେ ପୁଣି ବିରୋଧ କରାଯିବ କହିଛନ୍ତି ଆଇନଜୀବି । ବେଆଇନ ଭାବରେ ଖଣି ଉତ୍ତୋଳନ ଚାଲିଥିବା ବେଳେ ଏଥିରୁ ଆୟ କରିବାରେ ବିଫଳ ହୋଇଥିବା ପ୍ରଶାସନ ସାଧାରଣ ଭକ୍ତଙ୍କ ଉପରେ ଏ ଦରବୃଦ୍ଧି ଲଦି ଦେବା ଏହାକୁ କେତେଦୂର ଗ୍ରହଣ କରିବେ ଶ୍ରଦ୍ଧାଳୁ ତାହା ଦେଖିବାକୁ ବାକି ।