ରାଜ୍ୟରେ ବଢୁଥିବା ହାତୀ ଓ ବାରାହା ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବକୁ ଏଥିପାଇଁ ଦାୟୀ କରିଛନ୍ତି। ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟରେ ବନ୍ୟଜନ୍ତୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟାଳୟ ଉଦଘାଟନ କରିବା ଅବସରରେ ରାଜ୍ୟର ସବୁ ବନଖଣ୍ଡ କାର୍ଯ୍ୟାଳୟରେ ନ୍ୟାୟାଳୟ ଖୋଲାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ।
ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲ ରେ ବାରହା ଶିକାର ପାଇଁ ଷଡଯନ୍ତ୍ର ରଚିଥିଲେ ଶିକାରୀ। ବିଛା ଯାଇଥିଲା ବିଦ୍ୟୁତ ତାର । ହେଲେ ବାରହା ତ ଆସିଲା ନାହିଁ ତାରରେ ଛନ୍ଦି ହୋଇ ଗଲା 3 ହାତୀ ଙ୍କ ଜୀବନ। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବଢୁଥିବା ହାତୀ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବନ ବିଭାଗ ଦେଖାଇଥିଲା ତତ୍ପରତା। ଏହା ବନ ବିଭାଗର ଦୋଷ ବୋଲି ସ୍ବୀକାର କରିଥିଲେ ପିସିପିଏଫ। ହାତୀ ମୃତ୍ୟୁର ତଦନ୍ତ ପାଇଁ ଗଠନ ହୋଇଥିଲା ଟିମ୍। ସେପଟେ ଘଟଣାସ୍ଥଳକୁ ସିସିଏଫ ମନୋଜ ନାୟରଙ୍କ ସହ ଏକ 4 ଜଣିଆ ଟିମ ଯାଇ ତଦନ୍ତ କରି। ହାତୀ ଚଲାପଥ ଅଂଚଳରେ କିପରି ବିଦ୍ୟୁତ ତାର ବିଞ୍ଛା ଯାଇଥିଲା ତାହାର ଅନୁଧ୍ୟାନ କରିଛି ଟିମ। 3 ହାତୀଙ୍କର ପୋଷ୍ଟ ମର୍ଟମ ମଧ୍ୟ କରାଯାଇଛି।
ଗତ 7 ବର୍ଷ ର ରିପୋର୍ଟ କହୁଛି କେବଳ ବିଦ୍ୟୁତ ଆଘାତ ରେ 123 ହାତୀ ଙ୍କ ଜୀବନ ଯାଇଛି.. ଏହା ଭିତରୁ ଉଦ୍ଦେଶ୍ୟ ମୂଳକ ଭାବେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମରିଛନ୍ତି 91 ହାତୀ। ଗତ କିଛି ମାସ ଭିତରେ 50 ରୁ ଅଧିକ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିବା ବନ ବିଭାଗର ଅସହାୟତାକୁ ପଦାରେ ପକାଇଛି।