ଘର
ଓଡ଼ିଶା
ଉପାନ୍ତରେ ପିଜୁଳି ଚାଷ କରି ଲକ୍ଷପତି
ଉପାନ୍ତରେ ପିଜୁଳି ଚାଷ କରି ଲକ୍ଷପତି
by Banajyotshna Ray
ଅର୍ଗସ ବ୍ୟୁରୋ: ନୂଆ ପଦ୍ଧତିରେ ଭଲ ପ୍ରଜାତିର ହୋଇଛି ପିଜୁଳି ଚାଷ । ଆବଶ୍ୟକୀୟ ଦେଖାରଖା ଓ ଯତ୍ନ କରାଯାଉଥିବାରୁ ଗଛ ଗୁଡିକ ବେଶ ଭଲ ବଢିଛି । ରୋପଣର ଦୁଇବର୍ଷ ମଧ୍ୟରେ ଦୁଇଥର ଅମଳ କରାଯିବା ସହିତ ଲାଗିଥିବା ୧୬୦୦ ଗଛରୁ ଦୈନିକ ୩ରୁ ୪ କ୍ୟୁଣ୍ଟାଲ ପିଜୁଳି ଅମଳ କରୁଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପାରିମୁଣ୍ଡା ନିଁକ୍ତିମାଲ ଗାଁର ପରିବା ଚାଷୀ ସୌଭାଗ୍ୟ ନାୟକ । ସୌଭାଗ୍ୟ ପୂର୍ବରୁ ଧାନ ଓ ପରିବା ଚାଷ କରୁଥିଲେ । ଉଦ୍ୟାନ କୃଷିରେ ଅଧିକ ଲାଭ ଶୁଣିବା ପରେ ପରିବା ଚାଷରୁ ପିଜୁଳି ଚାଷ ଆଡକୁ ଢ଼ଳିଛନ୍ତି । ନିଜର ୩ ଏକର ଜମିରେ ଲଗାଇଛନ୍ତି ଥାଇ ସେଭେନ ଓ ରେଡ ଡାଇମଣ୍ଡ ପ୍ରଜାତିର ପିଜୁଳି । ସୌଭାଗ୍ୟ କୁହନ୍ତି ଏକ ଏକର ଜମିରେ ଧାନ ଚାଷ କଲେ ଅତି ବେଶୀରେ ଲକ୍ଷେ ଟଙ୍କା ଆୟ ହୁଏ । କିନ୍ତୁ ସେତିକି ଜମିରେ ପିଜୁଳି ଚାଷ ଦେଇଥାଏ ୧୫ ଲକ୍ଷ ଟଙ୍କାର ରୋଜଗାର । ଏହି ଦୁଇ ପ୍ରଜାତିର ପିଜୁଳି ବର୍ଷକୁ ତିନିଥର ଅମଳ ଦେଉଛି । ଗୋଟିଏ ଗଛରୁ ଅନ୍ୟୁନ ୩୦ କେଜି ଅମଳ ହେଲେ ଅତି କମରେ ଗଛ ପ୍ରତି ୬ ହଜାର ଟଙ୍କାର ଆୟ ମିଳିବ ବୋଲି କହିଛନ୍ତି ସୌଭାଗ୍ୟ । ଅନ୍ୟ ପାରମ୍ପରିକ ଚାଷ ଅପେକ୍ଷା ପିଜୁଳି ଚାଷ ଅଧିକ ଲାଭଦାୟକ ବୋଲି କହନ୍ତି ସୌଭାଗ୍ୟଙ୍କ ପତ୍ନୀ କୃଷ୍ନା ନାୟକ ।
ସୌଭାଗ୍ୟଙ୍କ ପିଜୁଳି କ୍ଷେତରେ ଅନୁସୃତ ହୋଇଛି ନୂଆ ପଦ୍ଧତି । ହାଇ ଡେନସିଟି ପ୍ଲାଣ୍ଟିଙ୍ଗ ସହିତ ଫଳ ଗୁଡିକରେ କ୍ୟାପିଙ୍ଗ ଓ କଭରିଙ୍ଗ ପ୍ରତି ଦିଆଯାଉଛି ଧ୍ୟାନ । ଫଳରେ ଅଧିକ ଉତ୍ପାଦନ ହେବା ସାଙ୍ଗକୁ ଫଳ ଗୁଡିକର ରଙ୍ଗ ରହୁଛି ଅକ୍ଷୁର୍ଣ୍ଣ । ଆକାର ,ରଙ୍ଗ ,ସ୍ୱାଦ ଓ ବାସ୍ନା ଅଦ୍ୱିତୀୟ ହେଉଥିବାରୁ ଏଠାରୁ ଉତ୍ପାଦିତ ପିଜୁଳୀର ଚାହିଦା ଥିବା କହିଛନ୍ତି ଉଦ୍ୟାନ କୃଷିରେ ସ୍ନାତକ କରିଥିବା ସୌଭାଗ୍ୟଙ୍କ ପୁଅ ସୌମ୍ୟ ରଞ୍ଜନ ନାୟକ । କମ ଜାଗାରେ ଅଧିକ ଗଛ ଲଗାଯାଇଥିବାରୁ ଉତ୍ପାଦନ ଭଲ ରହିଛି ବୋଲି କହିଛନ୍ତି ସୌମ୍ୟ । ରେଡ ଡାଇମଣ୍ଡ ପ୍ରଜାତିର ପିଜୁଳି ମଞ୍ଜି ବିହୀନ ଓ ରସାଳ ହୋଇଥିବାରୁ କେଜି ପ୍ରତି ୧୨୦ ଟଙ୍କା ଦାମରେ ବିକ୍ରି ହେଉଛି ।
ଅମୃତଭଣ୍ଡା ,କଦଳୀ ଓ ପିଜୁଳି ଚାଷ ପାଇଁ ସରକାରୀ ସବସିଡି ସୁବିଧା ଚାଷୀ ମାନେ ନେବାକୁ ପରାମର୍ଶ ଦେଇଛନ୍ତି କୁଚିଣ୍ଡା ସରକାରୀ ଉଦ୍ୟାନ କୃଷି ନିର୍ଦେଶକ ସତ୍ୟଭାମା ଧାନ । ସୌଭାଗ୍ୟଙ୍କ ଜୀବନରେ ସୌଭାଗ୍ୟ ଆଣିଛି ପିଜୁଳି ଚାଷ । ତିନି ଏକର ଜମିରେ ପିଜୁଳି ଚାଷ କରି ତିନିଜଣଙ୍କୁ ନିଯୁକ୍ତି ଦେବା ସହିତ କରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ।