ଯେଉଁ ଜିଲ୍ଲାଗୁଡିକର ସପ୍ତାହିକ ପଜିଟିଭ ହାର ୫ ପ୍ରତିଶତ ତଳେ ରହୁଛି ତାହାକୁ ସବୁଜ ଜୋନ୍ (green Zone), ସେହିପରି ୫ ରୁ ୧୦ ପ୍ରତିଶତ ଭିତରେ ସପ୍ତାହିକ ପଜିଟିଭ ହାର ରହୁଥିବା ଜିଲ୍ଲା ଗୁଡିକ କମଳା ଜୋନ୍ (Orange Zone) ଏବଂ ଏହି କ୍ରମରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ରହୁଥିବା ଜିଲ୍ଲା ଗୁଡିକ ଲାଲ୍ ଜୋନ୍(Red Zone) ଭାବେ ରେଖାଙ୍କିତ କରାଯାଇଛି ।
ଯଦି ଜିଲ୍ଲା ଗୁଡିକ ତିନି ସପ୍ତାହ(ମେ ୨୫ ରୁ ଜୁନ୍ ୧୭) ପାଇଁ ୫%ରୁ କମ୍ ସଂକ୍ରମଣ ହାରରେ ରହିଥିବ ତେବେ WHO ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ଜିଲ୍ଲାଗୁଡିକରେ କଟକଣା କୋହଳ କରାଯିବ।
Green Zone
ବର୍ତ୍ତମାନ ଦେଶରେ ୪୪୯ ଟି ଜିଲ୍ଲା ଅଛି ଯେଉଁଠାରେ ସାପ୍ତାହିକ ଟିଆରପି ୫ ପ୍ରତିଶତରୁ କମ୍ । ଏହି ତାଲିକାରେ ଆମ ରାଜ୍ୟର ୬ଟି ଜିଲ୍ଲା ସ୍ଥାନ ପାଇଛି । ସେଗୁଡିକ ହେଲା କନ୍ଧମାଳ, ବରଗଡ, ଗଞ୍ଜାମ, ସୋନପୁର, ଗଜପତି ଓ ବଲାଙ୍ଗୀର। ଗତ ସପ୍ତାହରେ କନ୍ଧମାଳରେ ପଜିଟିଭ୍ ହାର ୪.୮୫ ପ୍ରତିଶତ, ବରଗଡରେ ହାର ୪.୭୬ ପ୍ରତିଶତ, ଗଞ୍ଜାମରେ ୪.୩୫%, ସୋନପୁରରେ ୪.୪%, ଗଜପତିରେ ୪.୩% ଓ ବଲାଙ୍ଗୀରରେ ୪.୦୬% ରହିଥିଲା ।
Orange Zone
ଅରେଞ୍ଜ ବା କମଳା ଜୋନରେ ଦେଶର ୧୦୯ ଟି ଜିଲ୍ଲା ରହିଥିବାବେଳେ ଓଡ଼ିଶା ଭାଗରେ ୭ଟି ଜିଲ୍ଲା ରହିଛି । ଏ ସମସ୍ତ ଜିଲ୍ଲାର ସାପ୍ତାହିକ ପଜିଟିଭ ହାର (ଜୁନ୍ ୨ରୁ ୮) ୫ ରୁ ୧୦ ପ୍ରତିଶତ ରହିଛି । ଜିଲ୍ଲା ଗୁଡିକ ହେଉଛି କୋରାପୁଟ (୯.୩୮%), ମାଲକାନଗିରି(୮.୯୬%), ନୂଆପଡା(୮.୬୭%), କେନ୍ଦୁଝର(୭.୮୨%), ଦେଓଗଡ(୭.୮୧%), କାଳାହାଣ୍ଡି(୭.୫୯%) ଏବଂ ସମ୍ବଲପୁର(୫.୦୬%)।
Red Zone
ଲାଲ ଜୋନ ବା ରେଡ ଜୋନରେ ଦେଶର ୧୭୬ଟି ଜିଲ୍ଲା ରହିଥିବା ବେଳେ ଓଡିଶାର ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ବାଲେଶ୍ୱର, ପୁରୀ, କଟକ, ମୟୂରଭଞ୍ଜ, ରାୟଗଡା, ଅନୁଗୋଳ, ନୟାଗଡ଼, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା, ବୌଦ୍ଧ, ନବରଙ୍ଗପୁର ଏବଂ ସୁନ୍ଦରଗଡ ରହିଛି । ଏ ସମସ୍ତ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ । ମାନେ ଏହି ସ୍ଥାନଗୁଡିକରେ ସଂକ୍ରମଣ ହାର ସର୍ବାଧିକ। ଏଣୁ ଏଠାରେ କଟକଣାର ମାତ୍ରା ମଧ୍ୟ ବଢିପାରେ ବୋଲି କୁହାଯାଇପାରେ ।