ଗୁଆଲି କ’ଣ : ଗୁଆଲି ଏକ ପାରମ୍ପରିକ ପୁରୀବୋଲି ବା ପୁରୀରେ ପ୍ରଚଳିତ ଭାଷା। ବିବାହ ପରେ ନବଦମ୍ପତ୍ତି ଦେଉଥିବା ପ୍ରତିଭୋଜନ । ଯାହା ବିବାହର ୨ୟ କିମ୍ବା ୩ୟ ଦିନ ହୋଇଥାଏ। ଶ୍ରୀମନ୍ଦିର ସେବକ ଓ ବ୍ରାହ୍ମଣମାନଙ୍କ ଭିତରେ ଏହି ଶବ୍ଦଟି ବିଶେଷ ଭାବେ ପ୍ରଚଳିତ ବୋଲି କୁହେ, କ୍ଷେତ୍ର ସିଂହିତା। ଏହି କ୍ରମରେ ଠାକୁରଙ୍କ ବିବାହ ପରଦିନ ଚମ୍ପକ ଦ୍ବାଦଶୀ ନଗର ଭ୍ରମଣକୁ ମଧ୍ୟ ପାରମ୍ପରିକ ଭାଷାରେ ଗୁଆଲି କୁହାଯାଏ।
ଶ୍ରୀମନ୍ଦିର ନୀତି : ବଡ଼ ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି ହୋଇ ମହାସ୍ନାନ କରାଯାଇଥାଏ। ଶ୍ରୀବିଗ୍ରହମାନେ ନୂଆ ଲୁଗା ଓ ଚନ୍ଦନ ଲାଗି ହୋଇଥାନ୍ତି। ଘଟୁଆରୀ ଘରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥାନ୍ତି ।
ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତି(ମଦନ ମୋହନ-ଶ୍ରୀଦେବୀ)ଙ୍କୁ ଦକ୍ଷିଣୀ ଘରୁ ରତ୍ନ ସିଂହାସନକୁ ବିଜେ କରାଯାଏ। ସେଠାରେ ପ୍ରଥମ ବନ୍ଦାପନା ପରେ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ।
ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ (ରୁକ୍ମିଣୀ)କୁ ବିଜେ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରକୁ ବିଜେ କରନ୍ତି। ଗଜପତି ରାସ୍ତାରୁ ପାଛୋଟି ନେଇ ଖଟକୁ ବିଜେ କରାଇଥାନ୍ତି। ଶ୍ରୀ ନହରରେ ବନ୍ଦାପନା ପରେ ମହାସୁଆରଙ୍କ ଦ୍ୱାର ପ୍ରସ୍ତୁତ ପିଠା ପଞ୍ଚୋପଚାରରେ ପୂଜା ଓ ମଣୋହି ହୋଇଥାଏ।
ଗଜପତିଙ୍କ ପରିବାରର ନାରୀମାନେ ବନ୍ଦାପନା କରି ଭେଟି ଦିଅନ୍ତି। ଏହାପରେ ବରକନ୍ୟା ସେବକମାନଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଗ୍ରହଣ କରନ୍ତି। ସର୍ବଶେଷରେ ଦିଅଁ ଜମ୍ବେଶ୍ବର ମହାଦେବଙ୍କ ମନ୍ଦିରକୁ ବିଜେ କରି ପଞ୍ଚୁଗ୍ରାସୀ ଭୋଗ ଓ ବନ୍ଦାପନା ଗ୍ରହଣ କରି ବଡ଼ ଦେଉଳକୁ ବାହୁଡିଥାଆନ୍ତି।
ମିହିର ପଟ୍ଟନାୟକ