ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଥଣ୍ଡା କମିବାରେ ଲାଗିଛି । ଏହି ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି । ଆଜିଠାରୁ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଉପକୂଳ ଓଡ଼ିଶାରେ କୁହୁଡ଼ି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଫେବୃୟାରୀ ୧୫ରୁ ୧୭ ପର୍ଯ୍ୟନ୍ତ ୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ୧୫ ତାରିଖ ସକାଳଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଏହି ସମୟରେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ମଧ୍ୟ ହେବ । ମଧ୍ୟରାତ୍ରିରୁ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ। ଫେବୃୟାରୀ ୧୭ରୁ ୧୮ ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଟପିଛି । ମାଲକାନଗିରିରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୫ ଡିଗ୍ରି ରହିଥିଲା । ଭୁବନେଶ୍ୱରରେ ୩୪.୬ ଡିଗ୍ରି ରହିଥିବା ବେଳେ ପୁରୀ, ପାରାଦୀପ, ଦାରିଙ୍ଗବାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପି ଯାଇଥିଲା ।
