ଅର୍ଗସ୍ ବ୍ୟୁରୋ : ଖୋର୍ଦ୍ଧାରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଛତୁ ଫୁଟିଲା ଭଳି ଖୋଲୁଛି ସ୍କୁଲ । ଆଉ ଖବର ପ୍ରସାରଣ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ । ଆମେ କହୁଛୁ ଖୋର୍ଦ୍ଧା ନିରାକରପୁର ଥାନା ଅନ୍ତର୍ଗତ ନନପଡା ମୌଜାରେ ଥିବା ଡିଆ ଆଞ୍ଚଳିକ ବିଦ୍ୟାଳୟର କଥା । ଏହି ଘରୋଇ ଶିକ୍ଷାନୁଷ୍ଠାନର ଅବ୍ୟବସ୍ଥା ସମ୍ପର୍କିତ ଖବର ପ୍ରସାରଣ କରିବାକୁ ଅର୍ଗସ ପ୍ରତିନିଧିଙ୍କୁ ମାଡ଼ । ଏହି ଘରୋଇ ଶିକ୍ଷାନୁଷ୍ଠାନ ସମ୍ପର୍କରେ ସରକାରଙ୍କ ପାଖରେ ନାହିଁ କୌଣସି ଖବର । କେତେ ଜଣ ପିଲା ପଢୁଛନ୍ତି ? କେତେ ଜଣ ଶିକ୍ଷକ ଅଛନ୍ତି ? କେତେ ଜଣ କର୍ମଚାରୀ ଅଛନ୍ତି ସେ ସମ୍ପର୍କରେ ନାହିଁ ସୂଚନା । ଏପରିକି ଏଠାରେ କୋଚିଂ ସେଣ୍ଟର ଓ ହଷ୍ଟେଲ ଚାଲିଥିବା ବେଳେ ଏନେଇ ସରକାରୀ ଅନୁମତି ଅଛି କି ନାହିଁ ତାହା ବି ସନ୍ଦେହରେ । ଆଉ ଏହି ଘରୋଇ ଶିକ୍ଷାନୁଷ୍ଠାନର ମାଲିକ ଛବିନ୍ଦ୍ର ପରିଡା ନାତୁଣୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ । ତେବେ ସରକାରୀ ନିୟମ ଅନୁସାରେ ମହାବିଦ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଘରୋଇ କୋଚିଂ ସେଣ୍ଟର ଖୋଲି ପାରବେ ନାହିଁ । କିନ୍ତୁ ଛବିନ୍ଦ୍ର କିଭଳି ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ତାହା ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ କରାଯାଉଛି ଶୋଷଣ । ସ୍କୁଲଟି ଏକ ତିନିମହଲା ଘରେ ଚାଲୁଥିବା ବେଳେ ଏଠାରେ ସମସ୍ତ ସରକାରୀ ନିୟମକୁ ଜଳାଞ୍ଜଳି ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳୁନଥିବା ବେଳେ ପିଲାଙ୍କ ପାଇଁ ନାହିଁ ଖେଳପଡିଆ । ଶୌଚାଳୟ ନାହିଁ କି ପାନୀୟ ଜଳ ବ୍ୟବସ୍ଥା ନାହିଁ ।
କୋଭିଡ ବେଳେ ସମସ୍ତ ସ୍କୁଲ କଲେଜ ବନ୍ଦ ଥିବା ବେଳେ ଡିଆ ଆଞ୍ଚଳିକ ବିଦ୍ୟାଳୟ ସସମ୍ତ ନିୟମକୁ ଉଡାଇ ଖୋଲିଥିଲା ସ୍କୁଲ । ତେବେ କାହା ଅନୁମତିରେ ଖୋଲିଥିଲା ସ୍କୁଲ ? କାହା ଛତ୍ରଛାୟା ତଳେ ଏଠାରେ ଏଭଳି ବେଆଇନ ଭାବେ ଖୋଲିଛି ବେନାମୀ ଶିକ୍ଷାନୁଷ୍ଠାନ ? କଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ ?