ଅର୍ଗସ ବ୍ୟୁରୋ : ଜଳସେଚନ ବିଭାଗରେ ବଡ ଦୁର୍ନୀତି । କାମ ନାଁରେ କୋଟିକୋଟି ଚଳୁ । ଅଫିସର, ଠିକାଦାରଙ୍କ ମିଲିଭଗତରେ ରାଜକୋଷରେ ଲାଗିଛି ଚୂନ । ପଛୁଆ ଜିଲ୍ଲା କଳାହାଣ୍ଡିରେ ଏବେ ବିକାଶ ଦୂରରେ । ଏଠି ପୋଷା ଚାଲିଛି ଠିକାଦାର । ଜଳସେଚନ ବିଭାଗରେ ଖାଲି ଦୁର୍ନୀତି ହିଁ ଦୁର୍ନୀତି । ବିକାଶ କାମ ନାଁରେ ଠିକାଦାର ପୋଷା କାମରେ ଜଳସେଚନ ବିଭାଗ ଲାଗିଥିବାର ସଙ୍ଗୀନ ଅଭିଯୋଗ । ଧର୍ମଗଡ ପଦମପୁର ଚେକ୍ ଡ୍ୟାମ୍ ରେ ଏଠି କାମ୍ କମ୍ ପିସି ଅଧିକା ଥିବାର ଅଭିଯୋଗ । 3 ବର୍ଷରେ 3 ଥର କାମ ହେଲାଣୀ । ତଥାପି କେନାଲରେ ଆସୁନି ପାଣି । କେନାଲ ନୁହେଁ ତ ଖେଳପଡିଆ । କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ କାମ ହେଉଛି ହେଲେ ଚାଷୀଙ୍କୁ ମିଳୁନି ଟୋପେ ପାଣି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ ।
ମାଟି ଉପରେ ସିମେଣ୍ଟ ଢାଳି ଚାଲିଛି ବିକାଶ । ଆଉ କେଇଁଠି ମନରେଗା ଅର୍ଥରେ ମଧ୍ୟ କାମ ହୋଇଛି । ହେଲେ କାମ ନୁହେଁ ତ ସତେ ଯେମିତି ଖାଲି ସରକାରୀ ଅର୍ଥ ଚଳୁ କରିବା ପାଇଁ ବ୍ୟବସ୍ଥା ହୋଇଛି । ବଡବଡ ଫଳକ ଲଗାଇ ଟଙ୍କାକୁ ସ୍ୱାହା କରାଯାଇଥିବାର ଅଭିଯୋଗ । ଗୋଟିଏ ନାଳ ଉପରେ ୫୪ ଶହ ମିଟର ବ୍ୟବଧାନରେ ଗୋଟିଏ ଚେକ ଡ୍ୟାମ କିମ୍ବା ଆଡିବନ୍ଧ ହେବା ନିୟମ ରହିଛି ହେଲେ ଏଠି ୨-୩ କିମି ଭିତରେ ୨୫ ରୁ ଉର୍ଦ୍ଧ ଚେକ ଡ୍ୟାମ ଓ ଆଡିବନ୍ଧ ନିର୍ମାଣ କରିବା କେତେ ଯୁକ୍ତି ସଙ୍ଗତ ବୋଲି ଅଭିଯୋଗ ହୋଇଛି । ସେପଟେ ଏନେଇ କିନ୍ତୁ ଜଳସେଚନ ବିଭାଗର ଅଧିକାରୀ ମୁହଁ ଖୋଲୁନାହାନ୍ତି ।