ଚିତ୍ରକର ସେବକମାନେ ଏହି ପଟ୍ଟିଠାକୁରଙ୍କୁ ପ୍ରସ୍ତୁତ କରନ୍ତି। ପରସ୍ତ ପରସ୍ତ ଧଳା କନା ଦେଇ ପଟ୍ଟି ପ୍ରସ୍ତୁତ ହୁଏ। କନାକୁ ମୋଟା ତଥା କାଠୁଲିଆ କରିବା ପାଇଁ ଏହା ଉପରେ କଇଁଆ ମଞ୍ଜି ରାନ୍ଧି ଏହାର ମଣ୍ଡକୁ ପ୍ରଲେପ ଆକାରରେ ଦିଆଯାଏ। ଖରାରେ ଶୁଖାଇ ଏହାକୁ ମୋଟା ଆକୃତି ଦିଆଯାଏ। ଏହାପରେ ପଥରରେ ଘସି ଏହାକୁ ଚିତ୍ରୋପଯୋଗୀ କରାଯାଏ। ପ୍ରଥମେ ଖଡିରେ ଶ୍ରୀ ଅନନ୍ତ ବାସୁଦେବ, ଭୁବନେଶ୍ବରୀ ଓ ନାରାୟଣଙ୍କ ପ୍ରତିକୃତି ଅଙ୍କନ କରାଯାଏ।
ଯାହାକୁ ପାରମ୍ପରିକ ରଙ୍ଗରେ ଚିତ୍ରିତ କରାଯାଏ। ହରିତାଳ, ହିଙ୍ଗୁଳ, ଦୀପକଳା ତଥା ଶୁଦ୍ଧ ଶଙ୍ଖରେ ପ୍ରସ୍ତୁତ କଳା, ଧଳା, ନାଲି ଓ ହଳଦୀଆ ରଙ୍ଗରେ ଠାକୁରମାନଙ୍କର ଚିତ୍ରକୁ ଚିତ୍ରିଣ କରାଯାଇଥାଏ।
ଶ୍ରୀ ଅନନ୍ତ ବାସୁଦେବ ପଟ୍ଟି :
ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ପୂଜା ପାଉଥିବା ଶ୍ରୀ ଅନନ୍ତ ବାସୁଦେବ ହେଉଛନ୍ତି ଚତୁର୍ଭୂଜ ନାରାୟଣ, ଯାହାଙ୍କ ମଥାରେ ବାସୁକୀ ନାଗ ରହିଥାନ୍ତି । ଏହାଙ୍କ ବର୍ଣ୍ଣ ଧଳା। ଚକାପକାଇ ବସିଥିବା ଏହି ପଟ୍ଟିଠାକୁରଙ୍କ ନିମ୍ନ ୨ ପାର୍ଶ୍ୱରେ ଭଗବନା ଶିବ ଓ ନାରଦ ଯୋଡ ହସ୍ତରେ ଛିଡା ହୋଇଥିବା ଚିତ୍ର ଅଙ୍କିତ ଥାଏ।
ଦେବୀ ଭୁବନେଶ୍ୱରୀ ପଟ୍ଟି :
ସେହିପରି ସୁଭଦ୍ରାଙ୍କ ବାଡ଼ରେ ପୂଜିତ ପଟ୍ଟିଦିଅଁ ହେଉଛନ୍ତି ଦେବୀ ଭୁବନେଶ୍ୱରୀ। ଏହାଙ୍କର ରଙ୍ଗ ଦେବୀ ସୁଭଦ୍ରାଙ୍କ ଭଳି ହଳଦିଆ। ଏହି ଦେବୀ ପଟ୍ଟିର ନିମ୍ନ ୨ ପାର୍ଶ୍ୱରେ ମେଧା, ସୁମେଧା ନାମକ ୨ ଦେବୀ ଚାମର ଓ ଆଲଟ ଧରି ସେବା କରୁଥିବାର ଚିତ୍ର ଅଙ୍କନ କରାଯାଇଥାଏ।
ଶ୍ରୀ ଅନନ୍ତ ନାରାୟଣ ପଟ୍ଟି :
ସେହିପରି ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପୂଜା ପାଉଥିବା ପଟ୍ଟିଦିଅଁ ଅନନ୍ତ ନାରାୟଣ ଚତୁର୍ଭୂଜ ବିଷ୍ଣୁଙ୍କ ସ୍ୱରୂପରେ ପୂଜା ପାଆନ୍ତି। ଏହାଙ୍କର ବର୍ଣ୍ଣ କୃଷ୍ଣ ବା କଳା। ଏହି ପଟ୍ଟିଠାକୁରଙ୍କ ନିମ୍ନ ପାଦଦେଶରେ ଯୋଡହସ୍ତରେ ସପ୍ତଋଷୀଙ୍କ ଚିତ୍ର ଅଙ୍କିତ ଥାଏ। ଏକ ବାଉଁଶ ତାଟି ଉପରେ ଏହି ୩ ପଟ୍ଟିଠାକୁର ଅଣସର ସମୟରେ ପୂଜିତ ହୁଅନ୍ତି।