ବାଲେଶ୍ଵର ଭୋଗରାଇ ମହାଗବଠାରୁ ସିଆଁରୁଇଁ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ମରାମତି ଓ ରିପ୍ୟାରିଂ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୭ କୋଟି ଟଙ୍କା ମଂଜୁର କରିଥିଲା । ଟଙ୍କା ମଂଜୁର ହେବା ପରେ କାମ ବି ହୋଇଥିଲା । ହେଲେ କାମରେ ଠିକାଦାର ବାବୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଆଉ କେତେ ନିଜ ପକେଟ୍ରେ ପୂରାଇଛନ୍ତି ତାହା ଏବେ ଜଳଜଳ ହୋଇ ଦିଶୁଛି ।
ରାସ୍ତା କାମକୁ ଠିକାଦାର ଅମରେଶ ବେହେରା ୨୨/୧୨/ ୨୦୨୨ ରୁ କାମ ଆରମ୍ଭ କରି ୨୦/୧୧/୨୦୨୩ ରେ କାର୍ଯ୍ୟ ଶେଷ ହେବାର ଅବଧି ଥିଲା । ହେଲେ ଅବଧିର ୪ ମାସ ବିତିଯାଇଥିଲେ ବି କାମ ସରିଲାନି, ହେଲେ ଯେଉଁ କାମ ହୋଇଛି ତାହା କେତେ ନିମ୍ନମାନର ତାହା ଏବେ କିନ୍ତୁ ଜଳଜଳ ହୋଇ ଦିଶୁଛି । ଏବେ ପ୍ରଶ୍ନ, ଏତେ ନିମ୍ନମାନର କାମ ହେଲା ପ୍ରଶାସନ କେମିତି ଜାଣିପାରିଲା ନାହିଁ ? କୋଟି କୋଟି ଟଙ୍କା ପାଣିରେ ପଡିଲା, ରାଜସ୍ଵ ନଷ୍ଟ ହେଲା । କାର୍ଯ୍ୟାନୁଷ୍ଠାନ ନିଆଯିବ ତ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା କାମରେ ଠିକାଦାର ଆଡିଆ ବାଲିରେ କାମ କରିବା ସହିତ ସରକାରୀ ଗାଇଡ ଲାଇନରେ ଥିବା ଚିପ୍ସ,ମେଟାଲ, ସିମେଣ୍ଟକୁ ବ୍ୟବହାର ନକରି କାଦୁଅ ମିଶା ଚିପ୍ସରେ ଖାମଖିଆଲି ଭାବରେ ରାସ୍ତା କାର୍ଯ୍ୟ ହେଉଛି । ଯାହାକୁ ନେଇ ଜୋରଦାର ବିରୋଧ କରାଯାଇଛି । ଖାଲି ବିରୋଧ କରାଯାଇଛି ତାହା ନୁହେଁ ବରଂ ଠକ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବି ହେଉଛି ।
(ଭୋଗରାଇରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ)