ଓଡ଼ିଶା ପଟେ ମହାନଦୀ ଖୁଶିଲା, ଛତିଶଗଡ ପଟେ ଲହଡି ମାରୁଛି ପାଣି । ବଡ ନଦୀକୁ ବଡ ବିପଦର ଆଶଙ୍କା କରିଛନ୍ତି 15 ଜିଲ୍ଲାବାସୀ। ଛତିଶଗଡ - ଓଡିଶା ସୀମାନ୍ତରେ ଦୃଶ୍ୟ ଦେଖିବା ପରେ ଚିନ୍ତାରେ ଚାଷୀ । ଓଡିଶା ସରକାରଙ୍କ ଦୂରଦର୍ଶିତା ଅଭାବରୁ ଅଣମୌସୁମୀ ସମୟରେ ଓଡିଶାବାସୀ ଚିନ୍ତାରେ । କେବଳ ମହାନଦୀ ନୁହେଁ ଏହାର ଶାଖା ନଦୀ ମଧ୍ୟ ଶୁଖୁଛି । ଏଥପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।
ଓଡ଼ିଶାରେ ଶୁଖିଯାଇଛି ମହାନଦୀ । ଶୁଖାସୋଡା ନିକଟରେ ନଦୀରେ ପାଣି ନାହିଁ । ବଡ ନଦୀ ଏବେ ପାଣି ଶୂନ୍ୟ ।
ଟ୍ରିବ୍ୟୁନାଲରେ ଗଡୁଛି ମହାନଦୀ ମହାବିବାଦ । ଯାହାକୁ ଆଳ କରି ରାଜ୍ୟ ସରକାର ଚୁପ୍ ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଅର୍ଗସ ସହ ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପାଣି ପାଇଁ ଆପୋଷ ବୁଝାମଣା ଜରୁରୀ । ଟ୍ରିବ୍ୟୁନାଲରେ ମାମଲା ଚାଲିଥିଲେ ବି କଥାବାର୍ତ୍ତା ସମ୍ଭବ । ଓଡ଼ିଶା-ଛତିଶଗଡ଼ ଭିତରେ ଆଲୋଚନା ହେବା ଜରୁରୀ । ଓଡ଼ିଶା ସରକାର କହିଲେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି ବିଶେଶ୍ୱର ।
2019 ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ବଡ ପ୍ରସଙ୍ଗ କରିଥିଲା ବିଜେଡି । ମହାନଦୀ ସୁରକ୍ଷା ଅଭିଯାନ ନାଁରେ ଆରମ୍ଭ କରିଥିଲା ଆନ୍ଦୋଳନ। ମୌସୁମୀ ସମୟରେ ସମୁଦ୍ରକୁ ବୋହି ଯାଉଥିବା ମହାନଦୀ ଜଳର ସୁରକ୍ଷା ପାଇଁ ତଳମୁଣ୍ଡରେ ୭ଟି ବ୍ୟାରେଜ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମହାନଦୀ କୂଳର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଗ୍ରୀନ ମହାନଦୀ ମିଶନ ଶୀତଳ ଭଣ୍ଡାରରେ । ଏମିତି କି ଏବେ ସୁଦ୍ଧା ବ୍ୟାରେଜ ପାଇଁ ଜାଗା ଚିହ୍ନଟ କରିନାହାଁନ୍ତି ରାଜ୍ୟ ସରକାର । ଏବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ନେତାମନ୍ତ୍ରୀ ଡେରା ପକାଇଥିବାବେଳେ ମହାନଦୀ ପ୍ରସଙ୍ଗରେ ମୁହଁ ବନ୍ଦ ।
ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ମହାମିଛ । ବଡନଦୀରେ ପାଣିନାହିଁ , ହନ୍ତସନ୍ତ ହେଉଛି ଅଧା ଓଡିଶା । କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ସରକାର । 22 ବର୍ଷ ଶାସନ କ୍ଷମତାରେ ଥିବା ବିଜେଡି କାହିଁକି ମହାନଦୀରେ ବ୍ୟାରେଜ କରିପାରିଲା ନାହିଁ ? କୁଆଡେ ଗଲା ବଡ ନଦୀକୁ ନେଇ ରାଜ୍ୟ ସରକାରଙ୍କ ବଡ ପ୍ଲାନ୍ ? ମହାନଦୀର ତଳମୁଣ୍ଡରେ କେବେ ହେବ ୭ ବ୍ୟାରେଜ ?