ନବରଙ୍ଗପୁର ବିଜେଡିରେ ଏବେ ସ୍ଥିତି ପୂରା ସଂଘାତିକ । ଋଣ ଦେବା କହି SHG ମହିଳାଙ୍କୁ ବିଜେଡ଼ିରେ ମିଶାଉଛନ୍ତି ବିଜେଡ଼ି ବିଧାୟକ । ଏପରି ଅଭିଯୋଗ କରିଛନ୍ତି ଜଣେ ନାଏବ ସରପଞ୍ଚ । ଯାହାଙ୍କୁ ଋଣ ଦେବାକୁ କହି ବିଜେଡିରେ ମିଶାଇଥିଲେ ବିଧାୟକ । ଆଜି ସେ ବିଜେପିକୁ ଫେରିବା ସହିତ ଋଣ ବାହାନାରେ ବିଧାୟକ ଜବରଦସ୍ତି ବିଜେଡିରେ ମିଶାଇଥିବା ଅଭିଯୋଗ କରିଛନ୍ତି ।
ଚନ୍ଦାହାଣ୍ଡି ବ୍ଲକ୍ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ହେଉଛନ୍ତି ରଶ୍ମିତା ସାହୁ । ଏଥିସହ ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ SHGର ଜଣେ ସଭ୍ୟ ମଧ୍ୟ ଅଛନ୍ତି । ରଶ୍ମିତା ସାହୁଙ୍କ କହିବା ଅନୁସାରେ, ଗତ ୮ ତାରିଖରେ ଋଣ ଦେବାକୁ କହି ବିଜେଡି ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସମର୍ଥକ SHG ମହିଳାଙ୍କୁ ଡାକିଥିଲେ । ତେଣୁ ମହିଳାମାନେ ଯାଇଥିଲେ । ହେଲେ ସେମାନଙ୍କୁ ବିଭିନ୍ନ ବାହାନା କରି ନବରଙ୍ଗପୁର ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବିଧାୟକ ବିଭିନ୍ନ ଯୋଜନା ସମ୍ପର୍କରେ ଭାଷଣ ଦେଇଥିଲେ ।
ବିଧାୟକଙ୍କ ଏପରି କର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ନାଏବ ସରପଞ୍ଚ ରଶ୍ମିତା ସାହୁ ଓ ତାଙ୍କ ସମର୍ଥକ । ଋଣ ବିଷୟରେ ଆଲୋଚନା ପାଇଁ କାଡି ବିଜେଡିରେ ମିଶାଇବାକୁ ନାପସନ୍ଦ କରିଥିଲେ । ସବୁଠାରୁ ମଜାଦାର କଥା ହେଉଛି ମିଶ୍ରଣ ପର୍ବ ପରେ ଫଟୋ ଗୁଡ଼ିକୁ ସୋଶାଲ୍ ମିଡ଼ିଆରେ ସେୟାର କରାଯାଇଥିଲା ।
ସୋଶାଲ୍ ମିଡ଼ିଆରେ ଘୁରି ବୁଲୁଥିବା ଫଟୋ ଦେଖି ଗୌରିଶଙ୍କର ମାଝୀ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ତା’ପରେ ସବୁ କଥା ସାମ୍ନାକୁ ଆସିଥିଲା । SHG ଋଣ ଦେବାକୁ କହି ବିଧାୟକ ସଦାଶିଭ ପ୍ରଧାନୀ ଡାକି ବିଜେଡିରେ ଜବରଦସ୍ତି ମିଶାଇଥିବା ରଶ୍ମିତା କହିଥିଲେ । ଆଜି ରଶ୍ମିତାଙ୍କ ସମେତ ୧୦ ଜଣ SHG ମହିଳା ବିଜେପିକୁ ଫେରିଛନ୍ତି ।
ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁ କହିଛନ୍ତି, ବିଜେଡିରେ ମିଶିବୁ ବୋଲି ଜାଣିନଥିଲି । ଗ୍ରୁପ୍ ଋଣ ଦିଆଯାଉଛି ଓ ବିଧାୟକ ଡାକିଛନ୍ତି କହି ବିଜେଡି କର୍ମୀମାନେ ଆମକୁ ଡାକି ନେଇଥିଲେ । ଗଲା ପରେ ବିଜେଡି କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ସେଠାରେ ବିଜେଡିରେ ମିଶିଲୁ ବୋହି ମିଡ଼ିଆ ଆଗରେ କହିଦେଲେ । ହେଲେ ଏ ବିଷୟରେ ଆମେମାନେ କିଛି ଜାଣିନଥିଲୁ ।