ଘରେ ପଶିଲେ ମୁଣ୍ଡ ବାଜୁଛି। ଝାଟି ମାଟି ଲିପା ଘର ବର୍ଷା ହେଲେ ଭୁଶୁଡିବ ଭୁଶିଡିବ ବୋଲି ହଉଛି। ଅନେକ ସନ୍ତରଣ ପ୍ରତିଯୋଗୀତାରେ ପଦକ ପାଇଁ ରାଜ୍ୟ ତଥା ଦେଶକୁ ଗୌରବ ପହଞ୍ଚାଇଥିବା ଏହି ପ୍ରତିଭା ଏବେ ଦିନରେ ସୂର୍ଯ୍ୟ ଆଉ ରାତିରେ ଜହ୍ମ ଆଲୁଅ ପଡୁଥିବା ଗୋଟେ ଭଙ୍ଗା ଘରେ ରହୁଛନ୍ତି। ଝିଅ ପାଠ ପଢୁଛି, ହେଲେ ପଢା ଖର୍ଚ୍ଚ ବହନ କରିବାକୁ ତାଙ୍କ ପାଖେ ସମ୍ବଳ ନାହିଁ।
ଓଡ଼ିଶାକୁ କ୍ରୀଡା ହବ୍ କରିବାକୁ ସରକାର ପ୍ରସ୍ତୁତ କରୁଥିବା ଲମ୍ବା ତାଲିକାରେ ମମତାଙ୍କ ନାଁ ଗାଁ ନାହିଁ। ଯାହାକୁ ନେଇ ଗତକାଲି ଏକ ଭିଡିଓ ଆମେ ପ୍ରକାଶ କରିଥିଲୁ। ଆଉ ସୌଭାଗ୍ୟ ଆଜି ପ୍ରଶାସନର ମୁଣ୍ଡିଆଳମାନଙ୍କ ପାଖରେ ଦ୍ବାରସ୍ତ ହୋଇଛନ୍ତି ମମତା। ଆଶା କିଛି ଗୋଟେ ସାହାର୍ଯ୍ୟ ମିଳିବ।
ଘଟଣା ସମ୍ବଲପୁର ଜିଲାର। ଓ୍ବାର୍ଡ ନଂ – ୨୬ର ସିଦ୍ଧେଶ୍ବର କଲୋନୀ। ଏଇଠି ରହୁନ୍ତି ମମତା ଏବଂ ତାଙ୍କ ଝିଅ ରୁହନ୍ତି। ମମତା ନିତିଦିନ ଟ୍ରେନ ଲାଇନ କଡ଼ରେ ଶାଗ ବିକ୍ରି କରି ନିଜର ଗୁଜରାଣ ମେଣ୍ଟାନ୍ତି। କିନ୍ତୁ ଝିଅ ବଡ଼ ହେଉଛି। ତାର ବି ଭବିଷ୍ୟତ ଅଛି। ଏଇ ଚିନ୍ତାରେ ପଡିଛନ୍ତି ମମତା।
ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ବଖାଣିଛନ୍ତି। ଝିଅର ପାଠପଢା ସହ ଘର ଖଣ୍ତେ ଓ ଚାକିରି ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ମଧ୍ୟ ସହାୟତାର ପ୍ରତିଶ୍ରୁତିୀ ଦେଇଛନ୍ତି। ଏବେ ଦେଖିବାକୁ ରହିଲା, ଏ ପ୍ରତିଶ୍ରୁତି ଫଳବତୀ ନା ପାଣିର ଗାର ହେଉଛି।