ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀଙ୍କ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି। ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ। ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
ଚାଷୀ ପ୍ରଥମ ଅନ୍ନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରି ନିଜେ ଖାଇବାକୁ ନବାନ୍ନ ଭକ୍ଷଣ କୁହଯାଏ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପରଦିନକୁ ନୂଆଖାଇ ବାସି ବା ଛାଡଖାଇ ବୋଲି କୁହାଯାଏ । ଏହି ଦିନଟିକୁ ଆଡମ୍ବରର ସହ ପାଳନ କରାଯାଏ । ନୂଆଖାଇ ଦିନ ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।
ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ତେବେରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ମାତ୍ର ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଆଉ ସେବେଠାରୁ ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ନୂଆଁଖାଇ ପର୍ବ ପାଳନ କରିବା ପାଇଁ ସ୍ଥିର କରାଗଲା । ଏହା ପୂର୍ବରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।
ଏହି ପର୍ବ ଏବେ ସାରା ରାଜ୍ୟର ଗଣପର୍ବ ରୂପେ ପାଳନ ହେବାକୁ ବସିଲାଣି। ଚାରିଆଡେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେଉଛି। କୋଭିଡ କଟକଣା ଭିତରେ ରାଜ୍ୟବାସୀ ଏହି ପର୍ବକୁ ପାଳନ କରୁଛନ୍ତି।