ବେବିନା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସଭିଙ୍କ ମନେଥିବ ନିଶ୍ଚୟ । କିଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲା । ଏଭଳି ସମ୍ୱେଦନଶୀଳ ଘଟଣାରେ ପୁଣି ଶାସକଦଳର ବିଧାୟକ ପ୍ରଦୀପ ମହାରଥୀଙ୍କ ଲଜ୍ୟାଜନକ ବୟାନବାଜୀ । ମହାରଥୀଙ୍କୁ ପାନେ ଦେବାକୁ ମହିଳା କଂଗ୍ରେସ ଅଣ୍ଟା ଭିଡିଲା । ମହାରଥୀଙ୍କ ତୁଣ୍ଡକୁ ଝାଡୁ, ଅଣ୍ଡା ମାଡ କରି ସାବାଡ କରିବାକୁ ଦଳବଳ ନେଇ ବାହାରି ପଡିଲେ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ କର୍ମୀ । ରାଜରାସ୍ତା, ନବୀନ ନିବାସ ସମ୍ମୁଖରେ, ମହାରଥୀଙ୍କ ବାସଭବନ ସାମ୍ନାରେ ହାତରେ ଝାଡୁ ଧରି ବିକ୍ଷୋଭ ସହ ପ୍ରଦର୍ଶନ । ପ୍ରବଳ ବିକ୍ଷୋଭରେ ଗର୍ଜିଲା ରାଜଧାନୀ । ବେବିନାର ଆତ୍ମା ଭାବୁଥିବ କାଳେ ଏବେ ସୁଧୁରିବ ମହିଳାଙ୍କ ସ୍ଥିତି । ଆଶାରେ ଥିଲା ବେବିନାର ଆତ୍ମା । କିନ୍ତୁ କିଛି ଲାଭ ହେଲାନି । ମହାରଥୀଙ୍କୁ ପୁଣି ଟିକଟ୍ ଦେଇ ମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ ଯେ, ସେ ମହିଳାଙ୍କ ସମ୍ମାନ ପ୍ରତି ସମ୍ୱେଦନଶୀଳ ।
ରାଜ୍ୟର ଅନେକ ବେବିନାଙ୍କୁ ନ୍ୟାୟ ଦେବାରେ ବିଫଳ ନବୀନ ସରକାରଙ୍କ ଉପରେ ଗର୍ଜୁଥିବା ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏବେ ନିଜେ ଶରଣ ପଶିଲେ ନବୀନଙ୍କ ପାଖରେ । କୁଆଡେ ଗଲା ଛାଞ୍ଚୁଣୀ? ନିଜ ଦଳରେ ଅବହେଳିତ, ଅପମାନିତ ହେବା ପରେ ସୁମିତ୍ରା ବାଛିଲେ ପୁଣି ସେହି ଅସମର୍ଥ ନବୀନଙ୍କ ଶରଣ । ଯାହାଙ୍କୁ ସବକ୍ ଶିଖାଇବାକୁ ସୁମିତ୍ରା ଦିନେ ଛାଞ୍ଚୁଣୀ ଧରିଥିଲେ, ଏବେ ଛାର ରାଜନୀତି ପାଇଁ ସ୍ୱାଭିମାନ କଥା ଭୁଲିଗଲେ ସୁମିତ୍ରା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ କଡା ଟିପ୍ପଣୀ ଦେଇ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ସୁମିତ୍ରା । ତେବେ ଯିଏ ରାଜ୍ୟ ସରକାରଙ୍କୁ ବେବିନାକୁ ନ୍ୟାୟ ଦେବାକୁ ଛାଞ୍ଚୁଣୀ ଧରି ପାନେ ଦେବାକୁ ଯାଇଥିଲେ, ସେ କଣ ନିଜକୁ ନ୍ୟାୟ ଦେବାକୁ ଛାଞ୍ଚୁଣୀ ଧରି ପିସିସି ସଭାପତିଙ୍କୁ ପାନେ ଦେଇପାରିଲେନି ଯେ ବିଜେଡିରେ ମିଶିଗଲେ? ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସଂଗଠନ କଣ ନଥିଲା?
ତେବେ ଏଭଳି ରାଜନୀତିରେ ଚାଲେ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି । ଅନ୍ୟପଟେ ଯଦି ଏଭଳି ମହିଳା ନେତ୍ରୀମାନେ ନିଜ ସ୍ୱାର୍ଥ ପାଇଁ ଆଦର୍ଶକୁ ଭୁଲିଯାନ୍ତି ତେବେ ସେମାନେ କଣ ରାଜ୍ୟର ଅବହେଳିତା, ପୀଡିତାଙ୍କ ପାଇଁ ଲଢିବେ । ପ୍ରକୃତରେ ସଶକ୍ତିକରଣର କେତେ ଆବଶ୍ୟକତା ରହିଛି ଆପଣମାନେ ବିଚାର କରନ୍ତୁ ।