
ଭୁବନେଶ୍ୱର: ସହିଦଙ୍କ ପାର୍ଥିବ ଶରୀରରେ ବିଜେଡି ପତାକା ଢାଙ୍କିବା ନେଇ ଆରମ୍ଭ ହୋଇଛି ବିବାଦ । ଏହି ଘଟଣା ପରେ ଏବେ ବିଜେଡି ଅଡ଼ୁଆରେ ପଡ଼ିଛି । ସହିଦଙ୍କ ପାର୍ଥିବ ଶରୀରରେ ରାଜନୈତିକ ଦଳର ପତାକା ଢାଙ୍କିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହାକୁ ବିଭିନ୍ନ କ୍ଷେତ୍ରରେ ନିନ୍ଦା କରାଯାଇଛି । ଏହି ଘଟଣାକୁ ବିଜେପି ପୂର୍ବତନ ସୈନିକ ସେଲ୍ ମଧ୍ୟ କଡ଼ା ନିନ୍ଦା କରିବା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥିପାଇଁ ନିଃସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛି ସେଲ୍ ।
ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ପରେ ଖୋଦ୍ ବିଜେଡି ଦଳରେ ମଧ୍ୟ ବିବାଦ ଦେଖାଯାଇଛି । ବଡ଼ ବଡ଼ିଆ ନେତା ଏହି ଘଟଣାରେ ଚୁପ୍ ରହିଥିବା ବେଳେ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଏହାକୁ ବିରୋଧ ଏବଂ ନିନ୍ଦା କରିଛନ୍ତି । ସେ କହିଛନ୍ତି ସହିଦଙ୍କ ପ୍ରତି ବିଜେଡିର ସମ୍ମାନ ରହିଛି । ଏଭଳି ଘଟଣାକୁ ବିଜେଡି ନିନ୍ଦା କରୁଛି । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସସ୍ମିତ ।


ତେବେ ସହିଦ ଅଜିତ ସାହୁଙ୍କ ମରଶରୀରରେ ବିଜେଡି ପତାକା ଢାଙ୍କିବା ନେଇ ତାଙ୍କ ସଂପର୍କୀୟ ଭାଇ ପରମେଶ୍ୱର କହିଛନ୍ତି ଯେ, ଖୁଣ୍ଟୁଣିରେ ବିଜେଡି କର୍ମୀ ମରଶରୀର ଉପରେ ଦଳୀୟ ପତାକା ପକାଇଥିଲେ । କିନ୍ତୁ ଏହା ତାଙ୍କୁ ଭଲ ନଲାଗିବାରୁ ସେ ପତାକାକୁ କାଢ଼ି ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଭାଇ ଦେଶ ପାଇଁ ସହିଦ ହୋଇଛନ୍ତି, କୌଣସି ଦଳ ପାଇଁ ନୁହେଁ । ଏହି ଘଟଣା ସ୍ଥାନୀୟ ବିଜେଡି ନେତାଙ୍କୁ ଏକ ଚାପୁଡ଼ା ମାରିଲା ଭଳି ଲାଗିଛି ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, ଦଳ ସୁପ୍ରିମୋ ଏଭଳି ନିନ୍ଦନୀୟ ଘଟଣାରେ କ’ଣ ପଦକ୍ଷେପ ନେଉଛନ୍ତି ? ଦଳୀୟ କର୍ମୀଙ୍କୁ କିଭଳି ଦଣ୍ଡ ଦେଉଛନ୍ତି ?
