ପୁରୀ: ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ନାଁରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍ । ତାଙ୍କୁ ପଳାତକ ଘୋଷଣା କରିବା ପାଇଁ ଆଜି ପୋଲିସ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ସ୍ଥାନୀୟ ଏସ୍ପି ସୂଚନା ଦେଇଛନ୍ତି । ଓମ୍ ପ୍ରକାଶଙ୍କ ନାଁରେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ରହିଛି ।
ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରକିଶୋରପୁରରେ ବୁଥ୍ ନମ୍ବର 78ରେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ ।

ମତଦାନ ବେଳେ ଇଭିଏମ୍ ଓ ଭିଭିପ୍ୟାଟ୍ରେ ତ୍ରୁଟି ଯୋଗୁଁ ବୁଥ୍ରେ ଭୁତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୋଟର ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା ।
ତେବେ ଏହି ଘଟଣାରେ ବିଜେପି ନେତା ଓମ୍ ପ୍ରକାଶ ଅଗ୍ରଓ୍ୱାଲଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଓମ୍ ପ୍ରକାଶଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ଓମ୍ ପ୍ରକାଶ ଏବେ ଫେରାର ଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ ଗୋଟିଏ ରିଭଲ୍ଭର୍ ଓ ୬ ରାଉଣ୍ଡ ଗୁଳି ଜବତ କରିଥିଲା । ତେବେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ଆଦୌ ସମ୍ପୃକ୍ତି ନାହିଁ ବୋଲି ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ୍ କହିଛନ୍ତି ।
