ଉପନିର୍ବାଚନ ପାଇଁ ଏବେ ଉଠୁଛି ପଡ଼ୁଛି ପଦମପୁର । ହାତରେ ଆଉ ଦୁଇ ଦିନ ଥିବା ବେଳେ ପ୍ରଚାରରେ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ରୀତିମତ ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ନୋମିନେସନ ଦିନ ଠାରୁ ହିଁ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରିବା ଠାରୁ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଆଖିରେ ଲୁହ । ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ କହି କାନ୍ଦିବା ସହ ଲୁହଭିଜା ନୟନରେ ଲୋକଙ୍କ ପାଖକୁ ଯାଉଛନ୍ତି ବର୍ଷା ।
ହେଲେ ସେପଟେ ଆଖିରେ ଲୁହ ରଖି ଛାତିର କୋହକୁ ଚାପି ଧରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବି ମୈଦାନରେ । ୧୫ ମନ୍ତ୍ରୀ, ୬୦ ବିଧାୟକ । ସେଦିନ ମହାଭାରତରେ ପାଣ୍ଡବଙ୍କୁ କୌରବ ଘେରିବା ପରି ପ୍ରଦୀପଙ୍କୁ ଘେରିବା ପାଇଁ ଶାସକ ଦଳର ବଡ଼ ପ୍ଲାନ୍ । ତେଣୁ ପ୍ରଦୀପ ନିଜକୁ ଅଭିମନ୍ୟୁ ସଜାଇ ମାଆମାନଙ୍କ ଆଶିଷ ଭିକ୍ଷା କରୁଛନ୍ତି । ପଣତରେ ଘୋଡ଼େଇ ରଖିବା ପାଇଁ ନିବେଦନ କରୁଛନ୍ତି । ଅଭିମନ୍ୟୁଙ୍କୁ ସପ୍ତରଥୀ ଘେରିବା ପରେ ଶାସକ ବିଜେଡି ତାଙ୍କ ପାଇଁ ରଚନା କରିଛି ଚକ୍ରବ୍ୟୂହ । ତେଣୁ ସେ ଚକ୍ରବ୍ୟୂହରୁ ମୁକୁଳିବା ପାଇଁ ମାଆମାନଙ୍କ ଶରଣାଗତ ହୋଇଛନ୍ତି ପ୍ରଦୀପ । ସେପଟେ ପ୍ରଦୀପ ଅଭିମନ୍ୟୁ ନୁହନ୍ତି, ବରଂ ଅର୍ଜୁନ ପରି ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଭରିଛନ୍ତି ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ।
ସେପଟେ ଆଜି ବର୍ଷାଙ୍କୁ ଘେରିଛନ୍ତି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ ଓରାମ । ବର୍ଷା ଏବେ ଉପକୂଳର ବୋହୂ ହୋଇଥିବାରୁ ନିର୍ବାଚନ ସରିଲେ ପଦମପୁର କଥା ଭୁଲିଯିବେ କହୁଛି ବିଜେପି । ଜୁଏଲ ମଧ୍ୟ ସମାନ ପ୍ରସଙ୍ଗରେ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ଅନୁକମ୍ପାର କୃଷ୍ଣଚୂଡ଼ା ପଦମପୁରରେ ପଲ୍ଲବିତ ହେୁଛି ନା ପାଣିରେ ନୁହେଁ, ଝାଳରେ ଭିଜୁଥିବା ସ୍ବାଭିମାନୀ ମଣିଷର ବିଜୟ ହେଉଛି, ଏବେ ତାହାକୁ ହିଁ ଅପେକ୍ଷା
ଓଡିଶା ଖବର ଆହୁରି ପଢନ୍ତୁ