ପଦମପୁର ପରି ଧାମନଗରରେ ବି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ମାତ୍ର 2.18 ପ୍ରତିଶତ ଭୋଟ୍ ହାସଲ କରିଥିଲେ । 2019 ପରେ ହୋଇଥିବା ସମସ୍ତ 8 ଟି ଯାକ ଉପନିର୍ବାଚନରେ କେବଳ ତିର୍ତ୍ତାଲ ଓ ବ୍ରଜରାଜନଗରକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ କଂଗ୍ରେସ ଭୋଟହାର 4 ପ୍ରତିଶତ ବି ଅତିକ୍ରମ କରିପାରି ନାହିଁ । 2019 ବିଜେପୁର ଉପନିର୍ବାଚନରେ 3.2 ପ୍ରତିଶତ, ପାଟକୁରା ବିଧାନସଭା ନିର୍ବାଚନରେ ମାତ୍ର 1.2 ପ୍ରତିଶତ, ବାଲେଶ୍ବର ଉପନିର୍ବାଚନରେ 3.07 ପ୍ରତିଶତ ଓ ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଥିଲା କେବଳ 2.36 ପ୍ରତିଶତ ଭୋଟ୍ । ଅର୍ଥାତ 2019 ପରେ ହୋଇଥିବା 8 ରୁ 5 ଟି ଉପନିର୍ବାଚନରେ କଂଗ୍ରେସ ରେସରୁ ହୋଇଛି ଆଉଟ୍ । ପରସ୍ଥିତି ଏପରି ରହିଲେ ଆଗକୁ କଂଗ୍ରେସ ନୋଟା ସହ ଲଢେଇ କରିବ ବୋଲି କହିଛନ୍ତି ଖୋଦ୍ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।
90 ଦଶକରେ ଓଡ଼ିଶା ରାଜନୀତିରେ ହୋଇଥିଲା ବିଜେପିର ଏଣ୍ଟ୍ରି । 1090ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ମତ୍ର 3.56 ପ୍ରତିଶତ ଭୋଟ୍ । 53.69 ପ୍ରତିଶତ ଭୋଟ ହାର ସହ ପ୍ରଚଣ୍ଡ ଜନମତ ପାଇ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ଗଢିଥିଲା ସରକାର। କଂଗ୍ରେସକୁ ମିଳିଥିଲା 29.78 ପ୍ରତିଶତ ଭୋଟ୍ । 1995 ବେଳକୁ ବିଜେପିର ଭୋଟ ହାର ବଢି ପହଞ୍ଚିଥିଲା 7.88 ପ୍ରତିଶତରେ । ଜନତାଦଳ 35.41 ପ୍ରତିଶତ ଭୋଟ୍ ପାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଲା ଆଉ ମାତ୍ର 4 ପ୍ରତିଶତ ଅଧିକ ଅର୍ଥାତ 39.08 ପ୍ରତିଶତ ଭୋଟ୍ ପାଇ ସରକାର ଗଢିଲା କଂଗ୍ରେସ । ଜନତା ଦଳର ପରାଜୟରେ ବିଜେପିର ଭୋଟ ହାର ବୃଦ୍ଧି ମୁଖ୍ୟ କାରଣ ବୋଲି କୁହାଗଲା । ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ 2009 ବିଧାନସଭା ନିର୍ବାଚନରେ ରାଜ୍ୟରେ ହୋଇଥିଲା ତ୍ରିମୁଖୀ ମୁକାବିଲା । ସେତେବେଳେ 38.86 ପ୍ରତିଶତ ଭୋଟ ସହ 27 ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ବନିଥିଲା କଂଗ୍ରେସ । ଆଉ ବିଜେପି 15.6 ପ୍ରତିଶତ ଭୋଟ ପାଇ ଜିତିଥିଲା ମାତ୍ର 6 ଟି ଆସନ। 2014 ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ହାର ଖସି ଆସିଥିଲା 25.7 ପ୍ରତିଶତକୁ । 16 ଟି ଆସନ ଜିତି କୌଣସି ପ୍ରକାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ନିଜ ପାଖରେ ରଖିବାରେ ସମର୍ଥ ହୋଇଥିଲା କଂଗ୍ରେସ। ଆଉ ବିଜେପିର ଭୋଟହାର 18 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଦଳ 10 ଟି ଆସନରେ ବିଜୟ ହାସଲ କରିଥିଲା । 2019 ବିଧାନସଭା ନିର୍ବାଚନରେ କଂଗ୍ରେସ ଦୁଇ ନମ୍ବରରୁ 3 ନମ୍ବର ଦଳକୁ ଖସିଆସିଥିଲା । ମାତ୍ର 16. 12 ପ୍ରତିଶତ ଭୋଟ ହାର ସହ 9 ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ଦଳ । ସେପଟେ ବିଜେପିର ଭୋଟ୍ ହାର ବଢ଼ି 32.49 ପ୍ରତିଶତରେ ପହଞ୍ଚିଯାଇଥିଲା । ଆଉ 23 ଆସନ ଜିତିବା ସହ କଂଗ୍ରେସକୁ ହଟାଇ ବିଜେପି ବନିଥିଲା ମୁଖ୍ୟ ବିରୋଧୀ ଦଳ । 2009 ନିର୍ବାଚନ ପରଠୁ କଂଗ୍ରେସର ଭୋଟ ହାର ଗ୍ରାଫ୍ ଲଗାତାର ଖସିଚାଲିଥିବା ବେଳେ 2019 ପରେ ହୋଇଥିବା ଅଧିକାଂଶ ଉପନିର୍ବାନରେ ଅସ୍ତିତ୍ବ ସଂକଟ ଦେଇ ଗତିକରୁଛି ଦଳ । ସେପଟେ 2009 ପରଠୁ ବିଜେପିର ଭୋଟ୍ ହାର ଲଗାତାର ବଢ଼ିଚାଲିଥିବା ବେଳେ ବ୍ରବରାଜ ନଗରକୁ ଛାଡ଼ିଦେଲେ ବାକି 7 ଉପନିର୍ବାଚନରେ ବଜେଡି ସହ ଟକ୍କର ଦେଇଛି ଦଳ । ପଦମପୁର ଉପନିର୍ବାଚନ ଫଳକୁ ସିଧା 2024 ବିଧାନସଭା ନିର୍ବାଚନ ସହ ଯୋଡ଼ିକି ଦେଖାଯାଉଛି। କଂଗ୍ରେସର ଅସ୍ତିତ୍ବ ସଂକଟ ସହ ଓଡ଼ିଶା ରାଜନୀତିରେ ଶେଷ ହୋଇଛି କି ତ୍ରିମୁଖୀ ଲଢେଇ ଯୁଗ ? 2024ରେ ହେବ କି ସିଧା ବିଜେଡି ବନାମ ବିଜେପି ଫାଇଟ୍ ?