ରାଜ୍ୟ ନିର୍ବାଚନ କମିଶନର ଦେଇଥିବା ସୂଚନା ଅନୁଯାୟୀ, ଏଥର ସକାଳ ୭ ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ହେବ ଭୋଟ୍ ଗଣତି । ଜିଲ୍ଲା ପରିଷଦ ଓ୍ୱାରି ଗଣତି କରାଯିବ । ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଥର ୫ଟି ପର୍ଯ୍ୟାୟରେ ହେବ । ପ୍ରତି ପର୍ଯ୍ୟାୟ ଦିନକ ଲେଖାଏଁ ବ୍ୟବଧାନରେ ହେବ । ଚଳିତ ନିର୍ବାଚନରେ ଭୋଟ୍ ଦେବେ ୨ କୋଟି ୭୯ ଲକ୍ଷ ଭୋଟର୍ । ମୋଟ୍ ଓ୍ୱାର୍ଡ ସଂଖ୍ୟା ୯୧,୯୧୩ ଥିବାବେଳେ ୬୭୯୪ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପାଇଁ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମଧ୍ୟ ପଡ଼ିବ ଭୋଟ ।
ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ନିଜ ସଂପତ୍ତି ତାଲିକା, ଅପରାଧ ମାମଲାର ବିବରଣୀ ଦେବେ । ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦାଖଲ କରିବେ । ଓ୍ୱାର୍ଡ ମେମ୍ବର ପ୍ରାର୍ଥୀ ସେଲ୍ଫ ଡିକ୍ଲାରେସନ୍ ଜରିଆରେ ଏସବୁ ତଥ୍ୟ ଦେବେ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଜାତିଗତ ସାର୍ଟିଫିକେଟ୍ ଦେବେ । ଏଥିରେ କୌଣସି ପ୍ରାର୍ଥୀଙ୍କ ସତ୍ୟପାଠ ମିଥ୍ୟା ପ୍ରମାଣିତ ହେଲେ ତାଙ୍କୁ ଦଣ୍ଡିତ କରାଯିବ ।
କୋଭିଡ କଟକଣାକୁ ନଜରରେ ରଖି ରୋଡ, ଶୋ’, ସାଇକେଲ, ଯାତ୍ରା, ବାଇକେଲ ରାଲି, ସଭାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସମାବେଶକୁ ନିଷିଦ୍ଧ କରାଯାଇଛି । ଡିଜିଟାଲ, ଭର୍ଚୁଆଲ ମିଡିଆରେ ପ୍ରଚାର କରିବାକୁ କୁହାଯାଇଛି। ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଉଲ୍ଲଘଂନ କଲେ ଦଣ୍ଡିତ ହେବେ । ଉଭୟ ଡୋଜ କୋଭିଡ ଟିକା ନେଇଥିବା ତଥା ଆରଟିପିସିଆର ରିପୋର୍ଟ ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ ।