ଏ ହଉଛି ରାୟଗଡା କାଶୀପୁର ବ୍ଲକର ଚିତ୍ର , ସବୁଠି ଅସନ୍ତୋଷ, ଖୋଦ ମନ୍ତ୍ରୀ ନବ କିଶୋର ଦାସ ହଟ୍ଟହଟ୍ଟା । ମାଡି ଚାଲିଛି ହଇଜା । ହେଲେ ସରକାର ଯେଉଁ କଥା ପବିତ୍ର ବିଧାନସଭାରେ କହିଥିଲେ ତା ଯେ , କେବଳ ଧୂଆଁବାଣ ଥିଲା ତାହା ଏହି ଦୃଶ୍ୟ ହିଁ ବୟାନ୍ କରୁଛି । ସରକାର ଯେଉଁ ପ୍ରକଳ୍ପ କଥା କହିଥିଲେ ଗ୍ରାଉଣ୍ଡରେ ସେ ପ୍ରକଳ୍ପ ମିଳୁନି । ଯଦି ଗ୍ରାଉଣ୍ଡରେ ପ୍ରକଳ୍ପ ମିଳୁଥାନ୍ତା ତାହେଲେ ଆଜି ହୁଏତ ଏ ଦୃଶ୍ୟ ଦେଖିବାକୁ ପଡିନଥାନ୍ତା । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଆଦିବାସୀ ମାନଙ୍କୁ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି ବୋଲି ବିଧାନସଭା ରେ ରଖୁଛନ୍ତି ଉତ୍ତର । ହେଲେ ସରକାର ଯୋଗାଇଦେଇଥିବା ନଳକୂପରୁ ପାଣି ବାହାରୁଛି କି ନାହିଁ । ତାହା ପରଖିବା ପାଇଁ ରାୟଗଡା କାଶୀପୁର ରେ ପହଁଚିଥିଲା ଆମ ଟିମ ।
ଗାଁ ରୁ ଗାଁ...ସାହି ରୁ ସାହି ବୁଲିବା ପରେ ଆମ କ୍ୟାମେରା ରେ କଏଦ ହୋଇଥିଲା ଏମିତି କିଛି ଦୃଶ୍ୟ । କେଉଁଠି ନଳକୂପ କାମ କରୁନି ତ କେଉଁଠି ପାଣି ଟ୍ୟାପରୁ ପାଣି ଆସୁଛି । ଧୀରେ ଧୀରେ ରାସ୍ତା ଅତିକ୍ରମ କରିବା ପରେ ନଜର କୁ ଆସିଥିଲା କୋଟି କୋଟି ଟଙ୍କାର ପାଣି ପାଇପ ପାହାଡ଼ । ଆଦିବାସୀ ଗାଁ ରେ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାୟଗଡା ଜିଲ୍ଲା କୁ 339.14 କୋଟି ଅଟକଳ ବ୍ୟୟ ସରକାର ଦେଇଛନ୍ତି ବୃହତ ମେଗା ପାନୀୟ ଜଳ ପ୍ରକଳ୍ପ । ହେଲେ ସୀମିତ ସମ୍ୱରର ଏହା ସାରିବାକୁ ଥିବା ବେଳେ ଏବେ କାମ କେଉଁଠି ଆରମ୍ଭ ହେଇଛି ତ ଆଉ କେଉଁଠି ପାଇପ କୁଢ଼ ହୋଇ ମାଟି ଖାଉଛି।
ସରକାର କହିଥିଲେ କାଶୀପୁର ବ୍ଲକରେ 37 ଗୋଟି ପାଇପଜଳ ଯୋଗାଣ ପ୍ରକଳ୍ପ, 74 ଗୋଟି ଝରଣାଭିତ୍ତିକ ଜଳଯୋଗାଣ ପ୍ରକଳ୍ପ, 1776 ଗୋଟି ନଳକୂପ ଓ 50 ଗୋଟି ସୌରଚାଳିତ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି । ଏଠି ପ୍ରଶ୍ନ ଉଠୁଛି ତତକାଳୀନ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଯେଉଁ କଥା କହିଥିଲେ ତାହା କଣ ଥିଲା ଡାହାମିଛ କି । ତାହାହେଲେ ପ୍ରକଳ୍ପ ଗଲା କୁଆଡେ । ସେପଟେ କଲେରା ବ୍ୟାପିବା ଯୋଗୁ 9 ଜଣଙ୍କର ମୃତ୍ୟୁ ହେବା ପରେ ସବୁଠି ସେଇ ଗୋଟିଏ ପ୍ରଶ୍ନ । ବିଷାକ୍ତ ପାଣି ପାଇଁ ଜୀବନ ହରାଉଥିବା ଆଦିବାସୀଙ୍କୁ ଶୁଦ୍ଧ ପାନିୟ ଜଳ କେବେ ।
ଏ ଦୃଶ୍ୟ ସବୁ ଟିକେ ଭଲ ଭାବେ ଦେଖି ନିଅନ୍ତୁ । ଟଙ୍କା ଖର୍ଚ୍ଚ ହେଲା ହେଲେ ଲୋକଙ୍କ ନିକଟରେ କେଉଁଠି ପାଣି ପହଞ୍ଚିଲା ତ କେଉଁଠି ପହଞ୍ଚିଲାନି । 2019 ମସିହାରୁ 2022 ମସିହା ପର୍ଯ୍ୟନ୍ତ ହର-ଘର-ନଲ-ସେ-ଜଳ ଯୋଜନାରେ କେନ୍ଦ୍ର ସରକାର କାଶୀପୁର କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ବେଳେ ସବୁଠି ପାଇପ ଯିବା ସହ ପାଣି ଟ୍ୟାପ ଲାଗିଛି ସତ କିନ୍ତୁ ଠିକାଦାର ଓ ସରକାରୀ ବାବୁଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପାଣି କେବେ ଆସୁଛି କେବେ ଆସୁନି ତାହା ଲୋକଙ୍କୁ ବି ଅଜଣା ।
ସେପଟେ ବିଧାନସଭାରେ କାଶୀପୁର ସ୍ଥିତିକୁ ନେଇ ତୁମ୍ବିତୋଫାନ୍ ପରେ ଆଜି ଗ୍ରାଉଣ୍ଡରେ ପହଁଞ୍ଚିଛନ୍ତି ବିଜେପି ବିଧାୟକର ଏକ ପ୍ରତିନିଧି ଦଳ । ଗାଁ ଗାଁ ବୁଲି ସ୍ଥିତି ପରଖିବା ସହ ସରକାରଙ୍କ ସ୍ଥାଣୁତା ଓ ଅପାରଗତାକୁ ନେଇ ବର୍ଷିଛନ୍ତି ବିଧାୟକ ।
କାହିଁକି କାଶୀପୁରକୁ ଏପରି ଅବହେଲା । କାହିଁକି କାଶୀପୁରରେ ଫେଲ୍ ମାରିଲା ସରକାରଙ୍କ ଯୋଜନା । ଏହାର ଆତ୍ମସମୀକ୍ଷା କରିବେ କି ରାଜ୍ୟ ସରକାର । ସେପଟେ କାଶୀପୁରରୁ ଆରମ୍ଭ ହୋଇଥିବା ହଇଜା ଏବେ ପଡୋଶୀ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ବ୍ୟାପିଥିବା ବେଳେ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଏବେ ଭୟର ବାତାବରଣ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।