ତେବେ ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ମମତା କହିଛନ୍ତି, ବର୍ତ୍ତମାନ ପଶ୍ଚିମବଙ୍ଗରେ ଆଳୁ ଦର ଅଧିକ ରହିଛି । ନୂଆ ଆଳୁ ଯାଇ ୨୦୨୫ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଶେଷ ସପ୍ତାହରେ ବାହାରିବ । ତେଣୁ ବର୍ତ୍ତମାନ ଗଚ୍ଛିତ ଥିବା ଆଳୁ ପଶ୍ଚିମବଙ୍ଗର ଚାହିଦା ପ୍ରଥମେ ପୂରଣ କରିବ । ପଶ୍ଚିମବଙ୍ଗରୁ ଆଳୁ ଯାଇ ଅନ୍ୟ ରାଜ୍ୟରେ ଚଢା ଦରରେ ବିକ୍ରି କରିବାକୁ ଦିଆଯିବ ନାହିଁ । ଆଉ ଯେ ପର୍ଯ୍ୟନ୍ତ ନୂଆ ଆଳୁ ନବାହାରିଛି, ସେ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ଦିଆଯିବନି ବୋଲି ସଫା ସଫା ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏ ନିଷ୍ପତ୍ତିକୁ ସେଠାକାର ବ୍ୟବସାୟୀ ସଂଘ ନାପସନ୍ଦ କରିଛନ୍ତି.. କହିଛନ୍ତି ପଶ୍ଚିମବଙ୍ଗରେ ଆଳୁର ସଂଙ୍କଟ ନାହିଁ. ପଡୋଶୀ ରାଜ୍ୟକୁ ଆଳୁ ନ ଦେଲେ ବକେୟା ପଇସା ବି ମିଳିବନି
ସେପଟେ ଆଳୁ ଗାଡି ନଆସିବାରୁ ତାର ପ୍ରଭାବ ଓଡିଶା ବଜାରରେ ଦେଖିବାକୁ ମିଳିଲାଣି । ଏ ହେଉଛି କଟକ ଛତ୍ର ବଜାରର ଦୃଶ୍ୟ । ଆଳୁ ନେବା ପାଇଁ ଲାଗିଛି ଲୋକଙ୍କ ଭିଡ଼ । ବୁଧବାର ଆଳୁ କିଲୋ ପିଛା ୨୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଧଡା ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । ଆଜି ସକାଳୁ ପଶ୍ଚିମବଙ୍ଗରୁ ଛତ୍ର ବଜାରକୁ ୪ଟି ଗାଡି ଆସିଥିବା ବେଳେ ଆସନ୍ତାକାଲି ଗାଡି ଆସିବ କି ନାହିଁ ତାହା ଅନିଶ୍ଚିତତା ଭିତରେ । ଯଦି ଦିନେ ଦୁଇ ଦିନ ଭିତରେ ଆଳୁ ନଆସେ ତେବେ ଦର ବଢିବ ବୋଲି କହିଛନ୍ତି ବ୍ୟବସାୟୀ ସଙ୍ଘ ସମ୍ପାଦକ । ଗ୍ରାହକ ମଧ୍ୟ ଆଗକୁ ଆଳୁ ଦର ବଢିବାକୁ ନେଇ ଚିନ୍ତାରେ ପଡିଲେନି ।
ଅନ୍ୟପଟେ ଓଡିଶା ସୀମାରେ ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଯୋଗାଣ ମନ୍ତ୍ରୀ । ଆଳୁ ଟ୍ରକ ରୋକିବା ଘଟଣାରେ ଭାଇ ଭଉଣୀ ସମ୍ପର୍କକୁ ଦାୟୀ କଲେ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଭାଇ କହିଥିବେ ବୋଲି ଭଉଣୀ ବନ୍ଦ କରିଥିବେ କିମ୍ବା ଭାଇ ଚିଠି ଲେଖିଥିବେ, ସେଥିପାଇଁ ଆଳୁ ଦେଉନାହାନ୍ତି । ତେବେ ଗ୍ରାହକଙ୍କ କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର ।
ତେବେ ମମତାଙ୍କ ଏ ନିଷ୍ପତ୍ତି ପଛରେ ପଶ୍ଚିମବଙ୍ଗବାସୀଙ୍କ ସ୍ଵାର୍ଥ ଅଛି ନା ରାଜନୈତିକ ଅଭିସନ୍ଧି ରଖି ଓଡିଶାକୁ ଆଳୁ ବନ୍ଦ କରିଛନ୍ତି ତାହାକୁ ନେଇ ଉଠୁଛି ବଡ ପ୍ରଶ୍ନ ।