ଗତ କିଛିଦିନ ଧରି ଆଶିଂକ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ପିଜି ଡ଼ାକ୍ତରମାନେ । ପିଜି ନାମଲେଖା ପାଇଁ ନିଟ୍ ପକ୍ଷରୁ କରାଯାଉଥିବା କାଉନସେଲିଂ ପ୍ରକ୍ରିୟା ଅହେତୁକ ବିଳମ୍ବର ପ୍ରତିବାଦ କରି ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ପିଜି ଡ଼ାକ୍ତର ମାନେ । ଜରୁରୀକାଳୀନ ଚିକିତ୍ସା ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଚିକିତ୍ସା ସେବାକୁ ଡ଼ାକ୍ତର ମାନେ ବନ୍ଦ କରିଛନ୍ତି ।
କାଉନସେଲିଂ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ନୂତନ ଭାବେ ପିଜି ତଥା ପିଜି ଡ଼ାକ୍ତରମାନେ ନାମ ଲେଖାଇ ପାରୁନାହାନ୍ତି । ଯାହାଫଳରେ ବିଭିନ୍ନ ମେଡ଼ିକାଲ କଲେଜରେ କାର୍ଯ୍ୟରତ ଥିବା ପିଜି ଡ଼ାକ୍ତରଙ୍କ ଉପରେ କାର୍ଯ୍ୟଭାର ବଢ଼ିଚାଲିଛି । ଏହାକୁ ନେଇ ପିଜି ଡ଼ାକ୍ତର ମହାସଂଘର ଡ଼ାକରାରେ ଦେଶର ବିଭିନ୍ନ ମେଡ଼ିକାଲ କଲେଜର ପିଜି ଡ଼ାକ୍ତର ସଂଘ ପକ୍ଷରୁ ପ୍ରତିବାଦ ଜାରି ରହିଛି । କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର କରାଯିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଯୋଗୁଁ ଏଭଳି କାର୍ଯ୍ୟବନ୍ଦ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ପିଜି ଡ଼ାକ୍ତର ମାନେ । ଖୁବଶୀଘ୍ର କାଉନସେଲିଂ ପ୍ରକ୍ରିୟା ତ୍ବରାନିତ କରାନଗଲେ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଡ଼ାକ୍ତରମାନେ କହିଛନ୍ତି ।
ଅନ୍ୟପଟେ ଏନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ବହୁ ଦୂର ଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବାବେଳେ ଘଣ୍ଟା ଘଣ୍ଟା ଲାଇରେ ଛିଡା ହେବାକୁ ପଡିଛି । ଯାହାକୁ ନେଇ ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।