ଆଧାର କାର୍ଡ ଲିଙ୍କ ଥିବା ରାସନ କାର୍ଡଧାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଦେଶରେ ଓଡିଶାର ସ୍ଥାନ ତୃତୀୟ । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ ଚାଉଳ ଦେବେ ବୋଲି ଘୋଷଣା କରିଛନ୍ତି । ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ୧୦ କେଜି ବାଦ ଆଉ ୫ କେଜି ଚାଉଳ ଦିଆଯିବ କି ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛି ବିଜେପି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଏବଂ ଓଡ଼ିଶାର ପ୍ରାୟ ୩ କୋଟି ୨୫ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । କେବଳ ଓଡ଼ିଶା ପାଇଁ ୧୦ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଖାଦ୍ୟଶସ୍ୟ ବଣ୍ଟନ କରାଯାଇଛି । ଦେଶର ଜଣେ ବି ଗରିବ ଲୋକ ଭୋକିଲା ରହିବେ ନାହିଁ, ଏହାକୁ ସୁନିଶ୍ଚିତ କରିବା ଦିଗରେ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତ ସରକାର ଦେଶର ୮୦ କୋଟି ଲାଭାର୍ଥୀଙ୍କ ପାଇଁ ମୋଟ ୫ଟି ପର୍ଯ୍ୟାୟରେ ୨.୬୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ୭୫୯ ଲକ୍ଷ ମେଟ୍ରିକ୍ ଟନ ଖାଦ୍ୟଶସ୍ୟ ଆବଣ୍ଟନ କରିଛନ୍ତି । ଷଷ୍ଠ ଥର ପାଇଁ ଏହି ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୩.୨୫ କୋଟି ଲୋକ ଉପକୃତ ହେଉଥିବା ବେଳେ ଏଥିପାଇଁ ୩,୫୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।