ଭୁବନେଶ୍ୱର: ପିଆଜ ପରେ ବଢ଼ୁଛି ଆଳୁ ଦର । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଅନ୍ୟପଟେ ଗରିବର ସାହା ଥିବା ଆଳୁ ପିଆଜ ଉପରେ ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ଚଡ଼କ ସାଜିଛି । ପିଆଜ ୧୪୦ ଟଙ୍କାରୁ ଧିରେ ଧିରେ ଦର ଖସୁଥିବା ବେଳେ ଆଳୁ ଦର ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ପିଆଜ ଦର ଯେଉଁଭଳି ଭାବରେ ହୁ ହୁ ହୋଇ ବଢ଼ିଚାଲିଥିଲା ଏବେ ଆଳୁ ଦର ମଧ୍ୟ ବଢ଼ି ଚାଲିଛି । ଏବେ ରାଜ୍ୟର ଅନେକ ସ୍ଥାନରେ ଆଳୁର ଦର ବୃଦ୍ଧି ହୋଇଛି । ପିଆଜ ଦର ଧିରେ ଧିରେ ଖସୁଥିବା ବେଳେ ଆଳୁ ଦର ଏବେ କିଲୋ ପିଛା ୩୦ଟଙ୍କା ପାର ହେଲାଣି ।
ପିଆଜର ଅହେତୁକ ଦର ବୃଦ୍ଧି ପରେ ଏବେ ଗ୍ରାହକଙ୍କ ଉପରେ ଆଳୁ ଦର ବୃଦ୍ଧି ଚଡ଼କ ପକାଇଛି । ସାଧାରଣତଃ ପଶ୍ଚିମବଙ୍ଗରୁ ଆଳୁ ଅଣାଯାଇ ରାଜ୍ୟର ଆଳୁ ଚାହିଦା ପୂରଣ କରାଯାଇଥାଏ । ତେବେ ବର୍ତ୍ତମାନ ପଶ୍ଚିମବଙ୍ଗରେ ପୁରୁଣା ଆଳୁ କମ ରହିଥିବା ବେଳେ ବର୍ଷା ଯୋଗୁଁ ନୂଆ ଆଳୁ ଖୋଳିବା ସମ୍ଭବ ହେଉନାହିଁ ।
ସେହି କାରଣରୁ ଓଡ଼ିଶାରେ ଆଳୁ ଦର ବଢିଥିବା ସୂଚନା ମିଳିଛି । ଆଳୁ ଦର ଆହୁରି ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀମାନେ ଅନୁମାନ କରୁଛନ୍ତି । ତେବେ ୩ ଦିନରେ ଆଳୁ ଦରବୃଦ୍ଧି ହୋଇ ୩୦ ଟଙ୍କାରେ ପହଞ୍ଚିଲାଣି । ସାଧାରଣ ଲୋକଙ୍କ ବ୍ୟାଗରେ ଆଳୁ କିଲୋ ବଦଳରେ ଅଧା କିଲୋ ଆସୁଛି । ଆଳୁ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି ।

